୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଲା ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଏକ ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଛି ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା। ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଏହି ନାବାଳକ ଦୁର୍ଘଟଣାର ଶିକାର ହେବା ଫଳରେ ସାଇକେଲ ହାଣ୍ଡେଲ ପେଟ ଭିତରେ ପଶିଯାଇଥିଲା। ପାଖରେ ଥିବା ସାଥୀ ପିଲାମାନେ ହାଣ୍ଡେଲଟି ଭିଡ଼ି ପେଟରୁ କାଢି ଦେଇଥିଲେ। ହେଲେ ହାଣ୍ଡେଲର ପ୍ଲାଷ୍ଟିକ ମୁଠାଟି ପେଟ ଭିତରେ ପଶି ରହିଥିଲା। ନିକଟ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯାଇଥିଲେ ମଧ୍ୟ ଚିକିତ୍ସକମାନେ ପେଟରେ ପ୍ଲାଷ୍ଟିକ ମୁଠାଟିକୁ ଦେଖିପାରି ନ ଥିଲେ। କିଛି ଦିନ ପରେ ବାଳକଟିର  ଯନ୍ତ୍ରଣା ବଢିବା ପରେ ପରିବାର ସଦସ୍ୟ ଭୁବନେଶ୍ଵରସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶଲ୍ୟ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ଗୌରବ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହଯୋଗୀମାନେ ଏମଆରଆଇ କରିବାରୁ ପେଟ ଭିତରେ ପ୍ଲାଷ୍ଟିକ ମୁଠା ରହିଥିବା ଜାଣିବାକୁ ପାଇଥିଲେ। ଏହା ପରେ ଡାକ୍ତର ଗୌରବ ଓ ସହଯୋଗୀମାନେ ଦୀର୍ଘ ସମୟ ଅସ୍ତ୍ରୋପଚାର କରି ପେଟରୁ ୧୨ ସେଣ୍ଟିମିଟର ଲମ୍ବର ପ୍ଲାଷ୍ଟିକ ମୁଠା ବାହାର କରିଥିଲେ। ବର୍ତ୍ତମାନ ବାଳକଟି ସୁସ୍ଥ ଅଛି। ଚିକିତ୍ସାଳୟ ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଜ୍ଞାନ ରଞ୍ଜନ ଘଡ଼ାଇ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି. କେ. ସୁବୋଧ ସିଂହ, ନିର୍ଦ୍ଦେଶକ ମେଡିକାଲ ସେବା ଡାକ୍ତର ରଞ୍ଜନ କୁମାର ମହାପାତ୍ର ଓ ସିଓଓ ଶ୍ରୀ ମାନବ ପ୍ରମୁଖ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.