୫୦ ହଜାର ଟଙ୍କା ଯୈାତୁକ ଦାବି କରି ନିର୍ଯାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

add-all

ହିଞ୍ଜିଳିକାଟୁ : ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୈାତୁକ ଦାବି କରି ଶଶୁର ଘର ଲୋକେ ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ନେଇ ନିର୍ଯ୍ୟାତନାର ଶିକାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଖରିଡା ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, କବିସୂର୍ଯ୍ୟନଗର ଥାନା ଚାଙ୍ଗୁଡିଆପଦର ନୂଆଁଗାଁର ହାଡୁ ମହାରଣାଙ୍କ ଝିଅ ମିନାକ୍ଷୀ ମହାରଣାଙ୍କ ସହ ହିଞ୍ଜିଳି ଥାନା ଖରିଡା ଗ୍ରାମର ଭଗବାନ ମହାରଣାଙ୍କ ପୁଅ ସନ୍ତୋଷ ମହାରଣାଙ୍କ ସହ ୨୦୨୦ ମସିହା ଏପ୍ରିଲ ୧୭ ତାରିଖରେ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୧ଲକ୍ଷ ଟଙ୍କା ସହ ୭ ଭରି ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ୬ ମାସ ପରେ ଶଶୁର ଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୈାତୁକ ଦାବି କରି ମିନାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ଭାଇ ପାଖକୁ ଚାଲି ଯାଇଥିଲେ। ମହିଳାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ଶଶୁର ଘର ଲୋକେ ବୁଝାସୁଝା କରି ବୋହୁଙ୍କୁ ଘରକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ବାପା ଘରକୁ ଯାଇଥିଲେ । ସେଠାରେ ୨ୟ ଥର ଏକ କନ୍ୟା ସନ୍ତାନ ଜନ୍ମ କରିବା ପରେ ଶଶୁର ଘର ଲୋକେ ବୋହୁଙ୍କୁ ଘୃଣା କରିଥିଲେ। ଶଶୁର ଘର ଲୋକେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ରହୁଥିବା ଜାଣି ମିନାକ୍ଷୀ ୨ ଝିଅଙ୍କୁ ସାଥିରେ ନେଇ ଶଶୁର ଘରକୁ ଫେରିଥିଲେ। ସ୍ବାମୀ ସମେତ ଶଶୁର ଭଗବାନ ମହାରଣା, ଶାଶୁ ପ୍ରଭାସିନୀ ମହାରଣା ଓ ୨ ଦିଅର ପ୍ରକାଶ ଓ ପ୍ରଶାନ୍ତ ମହାରଣା ମହିଳାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ଯୈାତୁକ ବାବଦକୁ ୫୦ ହଜାର ଟଙ୍କା ଆଣିବେ ଘରକୁ ଆସିବୁ ବୋଲି ଶଶୁର ଘର ଲୋକେ ରୋକ୍ ଠୋକ୍ କହିଥିଲେ। ଅଧିକ ଯୈାତୁକ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ସ୍ବାମୀ ସମେତ ଶାଶୁ, ଶଶୁର ଓ ୨ ଦିଅର ମିଶି ଟଣାଓଟରା କରିବା ସହ ମାଡ ମାରିବା ଏବଂ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମିନାକ୍ଷୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.