ବାଲେଶ୍ଵର: ଆମେ ଫଣ୍ଡ ରେଜ କରିବାକୁ କାହାକୁ କହିନାହୁଁ ଆଜ୍ଞା । ଯିଏ ବି ଫଣ୍ଡ ରେଜ କରୁଛନ୍ତି ଆମର ମତାମତ ନିଅନ୍ତୁ । ଆମ ଘରର କାହାର ମତାମତ ଏଯାଏଁ ନିଆଯାଇ ନାହିଁ । ଯିଏ ବି ସହୃଦୟ ବ୍ୟକ୍ତି ଆମ ପାଇଁ ଟଙ୍କା ଯୋଗାଡ କରିଛନ୍ତି କୌଣସି ଟ୍ରଷ୍ଟ କିମ୍ୱା ଗରିବ ଲୋକକୁ ଦେଇ ଦିୟନ୍ତୁ । ସରକାର ଆମ ପାଇଁ ଯାହା କରିଛନ୍ତି ତାଙ୍କରି ଉପରେ ମୋର ଭରଷା ରହିଛି । ଓଡ଼ିଶାବାସୀ ସତ୍ୟତା ପରଖନ୍ତୁ । ଯଦି ମୋ ସ୍ୱାମୀ ପାଇଁ ଠାକୁରଙ୍କ ପାଖରେ ଏକ ମିନିଟ୍ ପ୍ରାର୍ଥନା କରିବେ ତାହା ହିଁ ମୋ ପାଇଁ ମଙ୍ଗଳ ହେବ । ମୋ ସ୍ୱାମୀ ମରି ହିରୋ ହୋଇଗଲେ । ଏମିତି କିଛି କହିଛନ୍ତି ମୃତ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ।
ତେବେ ଗତକାଲି NIA ଟିମ୍ ଆସିଥିଲେ ପ୍ରଶାନ୍ତଙ୍କ ଘରକୁ । ସେମାନେ ଯାହା ପ୍ରଶ୍ନ ପଚାରିଛନ୍ତି ପତ୍ନୀ ପ୍ରିୟଦର୍ଶିନୀ ସେସବୁର ଉତ୍ତର ଦେଇଥିବା କହିଛନ୍ତି । ଏହା ସହ କହିଛନ୍ତି କି, ଆତଙ୍କବାଦୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ତେବେ ଆଜି ଏହି ପରିବାର ଜମ୍ମୁ କଶ୍ମୀର ଟୁର୍ ସାରି ବାଲେଶ୍ଵରରୁ ଫେରିବାର ଥିଲା କିନ୍ତୁ ଏହି ପରିବାର କେବେ ଭାବିନଥିଲା କି ଏଭଳି ପରିସ୍ଥିତିରେ ଘରକୁ ଫେରିବ ବୋଲି ।
ପ୍ରିୟଦର୍ଶିନୀ କହିଛନ୍ତି ଏଭଳି ପରିସ୍ଥିତି ଅନ୍ୟ କାହା ସାଥୀରେ ନହେଉ । ସେ ଚାହିକିବି ତାଙ୍କର ଯାହା କ୍ଷତି ହୋଇଛି ତାହା ଭରଣା କରିପାରିବେନାହିଁ । କିନ୍ତୁ ଅନ୍ୟ ମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ସରକାର । ଅନ୍ୟମାନେ ଯେଭଳି ଏଭଳି କ୍ଷତିରେ ନ ପଡ଼ନ୍ତୁ । ଏହାସହ କହିଛନ୍ତି ତାଙ୍କର ଭାଗ୍ୟ ଖରାପ ବୋଲି ଏଭଳି ପରିସ୍ଥିତି ଉପୁଜିଲା । ସରକାରଙ୍କ ପାଇଁ ସମସ୍ତଙ୍କ ଜୀବନ ସମାନ । ବିଶ୍ୱାସ ଅଛି ସରକାର ଉଚିତ୍ ନିଷ୍ପତ୍ତି ନେବେ । ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାମୀଙ୍କ ନାରେ ମିଛ ଅନୁକମ୍ପା ରାଶି ଆଦାୟ ନକରିବାକୁ ସେ ଅନୁରୋଧ କରିଛନ୍ତି ।
ଏପଟେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ୍ । ପ୍ରଶାନ୍ତଙ୍କ ପରିବାର ଟଙ୍କା ଆଦାୟ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ନାପସନ୍ଦ କରିବା ସହ ସେମାନେ ଏପରି କରିବାକୁ କାହାକୁ ଅନୁମତି ଦେଇନଥିବା କହିଛନ୍ତି । ଏହା ସହ କୌଣସି ସୋସିଆଲ ମିଡିଆରେ ଯଦି ଏପରି ଟଙ୍କା ଆଦାୟ କରାଯାଉଛି, ତେବେ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ ବୋଲି ପରିବାର ପକ୍ଷରୁ ନିବେଦନ କରିଛନ୍ତି ।
