ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର :  ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର କର୍ପୋରେଟ୍ କାର୍ଯ୍ୟାଳୟରେ ବିଶ୍ୱ ନବସୃଜନ ଦିବସ-୨୦୨୫ ପାଳନ କରିଛି । ‘ଟିଆଣ୍ଡଡି ଇନୋଭେସନ୍ କାର୍ନିଭାଲ୍’ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଉଦଘାଟନ କରିଥିବା ବେଳେ ଏହି ଅବସରରେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  

କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ନେଟଓ୍ୱର୍କ ଇଞ୍ଜିନିୟରିଂ ଆଣ୍ଡ ପ୍ଲାନିଂ(ଏନଇପି), ସୁରକ୍ଷା, ଅପରେସନ୍, ଟେକ୍ନୋଲୋଜି ଓ ବାଣିଜ୍ୟ ଭଳି ବିଭିନ୍ନ ବିଭାଗ ପକ୍ଷରୁ ଅଭିନବ ପ୍ରକଳ୍ପମାନ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ନିଜର ସୃଜନଶୀଳ ଚେତନାକୁ ପରସ୍ପର ମଧ୍ୟରେ ବାଣ୍ଟିବା ସହ ଶକ୍ତି ତଥା ବିଜୁଳି ଯୋଗାଣ କ୍ଷେତ୍ର କିଭଳି ଅଧିକ ସୁଦୃଢ଼ ହୋଇପାରିବ ସେନେଇ ବିଚାରବିମର୍ଶ କରିଥିଲେ ।
 ଦଳଗତ ପ୍ରଦର୍ଶନ, ଅଭିନବ ଉଦ୍ୟମ ଓ ନିରନ୍ତର ପ୍ରଗତି ନିମନ୍ତେ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ୟାନେଲ ଅଧିବେଶନ ସହ ଶକ୍ତି ବିଭାଗର ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତରେ ଆଲୋଚନା ହୋଇଥିଲା । କିଭଳି ଭାବେ ସୃଜନଶୀଳତାକୁ ବ୍ୟାବହାରିକ ଜ୍ଞାନକୌଶଳରେ ପରିଣତ କରାଯାଇପାରିବ ସେନେଇ ବରିଷ୍ଠ ଅଧିକାରୀମାନେ ମତପୋଷଣ କରିଥିଲେ ।  

 ସ୍ମାର୍ଟ ଅଟୋମେସନ୍ କଣ୍ଟ୍ରୋଲର, ସ୍କାଡା ସିଷ୍ଟମର ଉନ୍ନତ ବ୍ୟବହାର, ଲୋ ଟେନସନ୍ (ଏଲ୍ଟି) ଅଟୋମେସନ୍ ଏବଂ ବିଦ୍ୟୁତ୍ ସମସ୍ୟାକୁ ଏଡ଼ାଇବା ପାଇଁ ନୂତନ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା । ଏହି ପଦକ୍ଷେପଗୁଡିକୁ ଆଗାମୀ ଦିନରେ ବାସ୍ତବତାର ରୂପ ଦିଆଯିବ, ଯାହାଫଳରେ ଉପଭୋକ୍ତାଙ୍କୁ ଅଧିକ ଭରସାଯୋଗ୍ୟ ବିଜୁଳି ଯୋଗାଣ ସମ୍ଭବ ହେବ । 

 ସୁରକ୍ଷିତ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ଟିପିଏସ୍ଓଡିଏଲର ମୂଳ ଲକ୍ଷ୍ୟ । ସ୍କାଡା, ଜିଆଇଏସ୍ ଓ ସ୍ମାର୍ଟ ଆଇସୋଲସନ୍ ସିଷ୍ଟମ୍ ଭଳି ଜ୍ଞାନକୌଶଳ ଗ୍ରହଣ କରି କମ୍ପାନୀ ବିଜୁଳି ଯୋଗାଣ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି । ଟିପିଏସ୍ଓଡିଏଲ୍ ଓଡ଼ିଶା ପ୍ରଥମ ବିଜୁଳି ଯୋଗାଣ କମ୍ପାନୀ ଭାବରେ ନିଜର ସମସ୍ତ ସର୍କଲରେ ସ୍କାଡା ପରିଚାଳିତ ଏପିଏସସିସି ସ୍ଥାପନ କରିଛି, ଯାହା ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି । ସେହିଭଳି ଜିଆଇଏସ୍, ସ୍କାଡା ଓ ଏଡିଏମଏସର ଏକୀକରଣ, ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ଓ ମୋବାଇଲ୍ ଟ୍ରାନ୍ସଫର୍ମର ଇତ୍ୟାଦି କମ୍ପାନୀର ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରିଛି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ,  “ଟିପିଏସ୍ଓଡିଏଲ୍ ସଦାସର୍ବଦା ଅଭିନବତା ତଥା ସୃଜନଶୀଳତାକୁ ପ୍ରୋତ୍ସାହିତ କରିଆସୁଛି । ଏହା ଉପଭୋକ୍ତାମାନଙ୍କୁ ଉନ୍ନତ ସେବା ପ୍ରଦାନରେ ସହାୟକ ହୋଇପାରିଛି । ଶକ୍ତି କ୍ଷେତ୍ରରେ ପ୍ରଗତି କରିବାକୁ ହେଲେ ଓ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ପ୍ରଦାନ କରିବାକୁ ହେଲେ ଅଭିନବ ଉଦ୍ୟମ କରିବା ଏକାନ୍ତ ଆବଶ୍ୟକ । କମ୍ପାନୀର କର୍ମଚାରୀମାନେ ସଦାସର୍ବଦ କିଛି ନୂଆ କରିବାର ପ୍ରୟାସ କରୁଛନ୍ତି ଯାହା ମୋତେ ସନ୍ତୁଷ୍ଟି ଦେଉଛି । ଆମେ ସମସ୍ତେ ଏକତ୍ରୀତ ହୋଇ ଶକ୍ତି କ୍ଷେତ୍ରକୁ ଏକ ଉଜ୍ଜ୍ୱଳମୟ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବାକୁ ପ୍ରଚେଷ୍ଟା କରୁଛୁ ।”

nis-ad
Leave A Reply

Your email address will not be published.