ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ। ଏକ୍ସିଅମ ସ୍ପେସର ଏକ୍ସ-୪ ମିଶନର ଅଂଶ ଭାବେ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ମିଶନ ପାଇଲଟ ଭାବେ ସାମିଲ ହେବେ। ଏହା ହେଉଛି ୧୯୮୪ରେ ରାକେଶ ଶର୍ମାଙ୍କ ସୋଭିଏତ ସୋୟୁଜ ମହାକାଶ ଯାତ୍ରା ପରେ ଭାରତର ପ୍ରଥମ ମାନବ ମହାକାଶ ମିଶନ।

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୧୦ ଅକ୍ଟୋବର ୧୯୮୫ରେ ଜନ୍ମଗ୍ରହଣ କରିଥିବା ଶୁଭାଂଶୁ ଶୁକ୍ଳା ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA)ରୁ ଶିକ୍ଷା ସମାପ୍ତ କରି ୨୦୦୬ରେ ଭାରତୀୟ ବାୟୁସେନାର ଫାଇଟର ସ୍ଟ୍ରିମରେ କମିଶନ ପ୍ରାପ୍ତ କରିଥିଲେ। ସେ ସୁଖୋଇ-୩୦ ଏମକେଆଇ, ମିଗ-୨୧, ମିଗ-୨୯, ଜାଗୁଆର, ହକ୍, ଡୋର୍ନିଅର ଏବଂ ଏଏନ-୩୨ ଭଳି ବିଭିନ୍ନ ଯୁଦ୍ଧବିମାନରେ ୨,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ସହିତ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ। ୨୦୧୯ରେ ଇସରୋର ହ୍ୟୁମାନ ସ୍ପେସଫ୍ଲାଇଟ ପ୍ରୋଗ୍ରାମ (HSP) ପାଇଁ ମନୋନୀତ ହେବା ପୂର୍ବରୁ ସେ ରୁଷର ଇଉରି ଗାଗାରିନ କସମୋନଟ ଟ୍ରେନିଂ ସେଣ୍ଟରରେ କଠିନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ମାର୍ଚ୍ଚ ୨୦୨୪ରେ ତାଙ୍କୁ ଗ୍ରୁପ କ୍ୟାପଟେନ ଭାବେ ପଦୋନ୍ନତି ମିଳିଥିଲା।

ଏକ୍ସ-୪ ମିଶନର ବିବରଣୀ
ଏକ୍ସିଅମ ସ୍ପେସ ଏବଂ ନାସା ସହଯୋଗରେ ପରିଚାଳିତ ଏକ୍ସ-୪ ମିଶନରେ ଶୁଭାଂଶୁ ଶୁକ୍ଳା ସହ ଆମେରିକାର ପୂର୍ବତନ ନାସା ମହାକାଶଚାରୀ ପେଗୀ ହ୍ୱିଟସନ (ମିଶନ କମାଣ୍ଡର), ପୋଲାଣ୍ଡର ସ୍ଲାୱୋସ୍ଜ ଉଜନାନସ୍କି-ବିସନେସ୍କି ଏବଂ ହଙ୍ଗେରୀର ଟିବୋର କାପୁ ମିଶନ ସ୍ପେଶାଲିଷ୍ଟ ଭାବେ ସାମିଲ ହେବେ। ଏହି ୧୪ ଦିନିଆ ମିଶନ ଫ୍ଲୋରିଡାର ନାସାର କେନେଡୀ ସ୍ପେସ ସେଣ୍ଟରରୁ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ମାଧ୍ୟମରେ ଉଡ଼ାଣ କରିବ। ଏହା ଏକ ବେସରକାରୀ ବାଣିଜ୍ୟିକ ମିଶନ ହେଲେ ଭାରତ ଏଥିପାଇଁ ୬୦ ମିଲିୟନ ଡଲାରରୁ ଅଧିକ ଅର୍ଥ ବିନିଯୋଗ କରିଛି।

ଶୁକ୍ଳା କହିଛନ୍ତି, “ଜଣେ ବ୍ୟକ୍ତି ଭାବେ ମହାକାଶକୁ ଯାତ୍ରା କଲେ ମଧ୍ୟ, ଏହା ୧.୪ ବିଲିୟନ ଭାରତୀୟଙ୍କ ଯାତ୍ରା।” ତାଙ୍କର ଏହି ମିଶନ କେବଳ ବୈଜ୍ଞାନିକ ଅଗ୍ରଗତି ନୁହେଁ, ବରଂ ଭାରତର ନୂଆ ପିଢ଼ିର ବୈଜ୍ଞାନିକ ଓ ମହାକାଶ ଅନୁସନ୍ଧାନକାରୀଙ୍କ ପାଇଁ ଏକ ପ୍ରେରଣା ହେବ।

nis-ad
Leave A Reply

Your email address will not be published.