
ନୂଆଦିଲ୍ଲୀ: ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର । କାନାଡାରେ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଦିନେଶ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ସେବା ପ୍ରଦାନ କରୁଛନ୍ତି । କାନାଡାରେ ରାଷ୍ଟ୍ରଦୂତ ଥିବା ସଞ୍ଜୟ କୁମାର ବର୍ମାଙ୍କ ଫେରାଇ ଅଣାଯିବାର ୯ ମାସ ପରେ ନୂଆଦିଲ୍ଲୀ ଏହି ନିଷ୍ପତ୍ତି ନେଇଛି । ଦିନେଶ ପଟ୍ଟନାୟକଙ୍କ ନିଯୁକ୍ତି ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଭଲ ନାହିଁ । ଖଲିସ୍ତାନ ସମର୍ଥକଙ୍କୁ ଶରଣ ଦେଉଥିବା ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ପୂର୍ବ ପରି ମଧୁର ନାହିଁ ।
ଓଡ଼ିଶାରେ ଜନ୍ମିତ ୧୯୯୦ ବ୍ୟାଚ୍ ଆଇଏଫ୍ଏସ୍ ଦିନେଶ ପଟ୍ଟନାୟକ ଭାରତର ସବୁଠୁ ବରିଷ୍ଠ ବିଦେଶ ସେବା ଅଧିକାରୀ । ତାଙ୍କ ପାଖରେ ବିଦେଶ ସେବାରେ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଓଟାୱାରେ ନୂଆ ଭାରତୀୟ ହାଇ କମିଶନର ହେବା ନେଇ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ୨୦୧୬-୧୮ ପର୍ଯ୍ୟନ୍ତ ସେ ୟୁକେରେ ଡେପୁଟୀ ହାଇକମିଶନର ଭାବେ ସେବା ଦେଇଥିଲେ ।
ଆଇଏଫ୍ଏସ୍ ଦିନେଶ ପଟ୍ଟନାୟକଙ୍କ ପାଖରେ ଭାରତ ଓ ଭାରତ ବାହାରେ ତିନି ଦଶନ୍ଧିର କୂଟନୀତି ଅଭଜ୍ଞତା ରହିଛି । ସେ ନିଜ କାର୍ଯ୍ୟକାଳ ଭିତରେ ଜେନେଭା, ଢାକା, ବେଜିଂ, ଅଷ୍ଟ୍ରିଆ, କାମ୍ୱୋଡିଆ, ମୋରୋକୋ ଓ ଭିଏନାରେ ଭାରତୀୟ ମିଶନରେ ସେବା ପ୍ରଦାନ କରିଥିଲେ । ଏହାସହ ଆଫ୍ରିକା, ପଶ୍ଚିମ ୟୁରୋପ, ଜାତିସଂଘରେ ବି ବିଦେଶ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ଦାୟିତ୍ୱ ନେଇଥିଲେ ।