ପୁଣି କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଃଖ ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷୀୟ ନେପାଳୀ ଛାତ୍ରୀ(ପ୍ରୀଶା ଶାହା)ଙ୍କ ଆତ୍ମହତ୍ୟା ଘଟଣା ଗୁରୁବାର ରାତିରେ ସାମ୍ନାକୁ ଆସିଛି। ପ୍ରଥମ ବର୍ଷର ଏହି ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ର ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତୁରନ୍ତ ତାଙ୍କୁ କିମ୍ସ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

କିମ୍ସ ହସ୍ପିଟାଲର ରିପୋର୍ଟ ଆଧାରରେ ଇନଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା (ନମ୍ବର ୪୯/୨୦୨୫, ତାରିଖ ୦୧.୦୫.୨୦୨୫) ରୁଜୁ ହୋଇଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛି।

ବିଶ୍ୱବିଦ୍ୟାଳୟ ପ୍ରଶାସନ ଘଟଣା ଜାଣିବା ମାତ୍ରେ ଛାତ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲା। ଛାତ୍ରୀଙ୍କ ପିତାମାତା ନେପାଳରୁ ଭୁବନେଶ୍ୱର ଅଭିମୁଖେ ରହିଛନ୍ତି ଏବଂ ଶୁକ୍ରବାର ସେମାନେ ପହଞ୍ଚିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଏହି ଦୁଃଖଦ ମୁହୂର୍ତ୍ତରେ ପରିବାର ସହ ଥିବା କହିଛନ୍ତି।

ପୁଲିସ କମିଶନର ଏବଂ ରାଜସ୍ୱ ମଣ୍ଡଳ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଫରେନ୍ସିକ୍‌ ଟିମ୍‌ ମଧ୍ୟ ଘଟଣାର ତଦନ୍ତ ପାଇଁ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରୁଛି। ଘଟଣାର ତଦନ୍ତ ଜାରି ରହିଛି।

ପୁଲିସ କମିଶନର ଏସ୍ ଦେବ ଦତ୍ତ ସିଂହ କହିଛନ୍ତି, ଆଜି (ଗୁରୁବାର) ସନ୍ଧ୍ୟା ପ୍ରାୟ ୭ଟାବେଳେ ନିଜ ରୁମରେ ଏକୁଟିଆ ଥିବା ବେଳେ ସଂପୃକ୍ତ ଛାତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହାପରେ ଯାଞ୍ଚ କରିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ଆମକୁ ସୂଚନା ଦିଆଯାଇଥିଲା। ଆମେ ତଦନ୍ତ କରୁଛୁ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ମଧ୍ୟ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାପରେ କିଟ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଥିଲା । ଏହି ମାମଲାରେ ତଦନ୍ତ କରି ଏନଏଚଆରସି ଟିମ୍ କିଟକୁ ଦାୟୀ କରିଛନ୍ତି ।

nis-ad
Leave A Reply

Your email address will not be published.