ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି?
ମିଳିଥିବା ସୂଚନା ମୁତାବକ, ମୁସଲିମ୍ ସମ୍ପ୍ରଦାୟରେ ଅନେକ ଜାତି ରହିଛି । ଆଉ ଏଥର ଜନଗଣନା ସମୟରେ ଏହି ଜାତିକୁ ନେଇ ମଧ୍ୟ ସେମାନଙ୍କୁ ପ୍ରଶ୍ନ କରାଯିବ । ଏହାସହ ଜାତି ଜନଗଣନା ସମୟରେ ମୁସଲିମ୍ ସଂରକ୍ଷଣକୁ ନେଇ କୌଣସି ବି ପ୍ରସ୍ତାବକୁ ସରକାର ଗ୍ରହଣ କରିବେନି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ପୂର୍ବରୁ ମଧ୍ୟ କହିସାରିଛନ୍ତି । ତାଙ୍କ କହିବା ମୁତାବକ, ସମ୍ବିଧାନରେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ନେଇ କିଛି ବି ବ୍ୟବସ୍ଥା ନାହିଁ, ଯେତେ ପର୍ଯ୍ୟନ୍ତ ବିଜେପିର ଜଣେ ବି ସାଂସଦ ସଂସଦରେ ଅଛନ୍ତି, ସେ ପର୍ଯ୍ୟନ୍ତ ଧର୍ମ ଆଧାରରେ କୌଣସି ବି ସଂରକ୍ଷଣ ହେବ ନାହିଁ ।
ଅନ୍ୟପଟେ ଜନଗଣନା ନେଇ ଆଗାମୀ ଦୁଇରୁ ତିନି ମାସ ଭିତରେ କାମ ଆରମ୍ଭ ହେଇଯିବ । ଏଥିପାଇଁ ଅଫିସରମାନଙ୍କର ଡେପୁଟେସନ୍ ପ୍ରକ୍ରିୟା ମଧ୍ୟ ସରକାର ଖୁବଶୀଘ୍ର ଆରମ୍ଭ କରିବେ । ତେବେ ଏଥର ଡିଜିଟାଲ ମାଧ୍ୟମରେ ଜନଗଣନା ହେବ । ଯେଉଁଥିରେ ଆଧାର ସହିତ ବାୟୋମେଟ୍ରିକ ଏବଂ ଏଆଇର ବ୍ୟବହାର ମଧ୍ୟ ହେବ।
ସେପଟେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୯ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ହେଇପାରେ । ଲୋକସଭା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ବାଧ୍ୟତାମୂଳକ କରାଯାଇପାରେ । ସରକାର ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାସହ ଜାତିଗତ ଜନଗଣନା ନେଇ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମୋଦୀ ସରକାର ଏନେଇ ପ୍ରତିଟି ରାଜନୈତିକ ଦଳ ସହ କଥା ହେଇପାରେ । ଖାସ୍ ଜାତି ଜନଗଣନାକୁ ବିରୋଧ କରୁଥିବା ରାଜନୈତିକ ଦଳ ସହିତ ଆଲୋଚନା କରିପାରେ ମୋଦୀ ସରକାର ।
