ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାରେ ଉଦ୍ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନେପାଳ ମନ୍ତ୍ରୀ । ଏହା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ମଧ୍ୟ ସେ ତାଙ୍କ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ସେ ଆହୁରି ଲେଖିଛନ୍ତି ଯେ, ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି । ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ ବୋଲି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ କିଟ୍ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷୀୟ ନେପାଳୀ ଛାତ୍ରୀ(ପ୍ରୀଶା ଶାହା) ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ହଷ୍ଟେଲ ରୁମ୍ର ସିଲିଂ ଫ୍ୟାନ୍ ରେ ଛାତ୍ରୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା । କିମ୍ସ ହସ୍ପିଟାଲର ରିପୋର୍ଟ ଆଧାରରେ ଇନଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା (ନମ୍ବର ୪୯/୨୦୨୫, ତାରିଖ ୦୧.୦୫.୨୦୨୫) ରୁଜୁ ହୋଇଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛି ।
