ପୁରୀ : ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ ଏସ୍ପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି ।
ଅନ୍ୟପଟେ ବୈଠକର ଏହି ନିଷ୍ପତ୍ତିକୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଉଛି । ସବୁବେଳେ ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି । କିନ୍ତୁ ପାର୍କିଂ ସ୍ଥାନରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି । ଏହାର ଉତ୍ତରରେ ପୋଲିସ କହିଛି ଯେ, ଗାଡ଼ିଗୁଡ଼ିକର ସୁରକ୍ଷାର ଆବଶ୍ୟକତା ରହିଛି । ତେଣୁ ପାର୍କିଂ ସ୍ଥାନରେ ଅନେକ ସମୟରେ ଗାଡ଼ିଗୁଡ଼ିକ ନିରାପଦରେ ରହୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଏ ନେଇ ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି, ଗୋଟିଏ ପାର୍କିଂ ଜାଗାରେ ଯଦି ଦୁଇ ଜଣ ସୁରକ୍ଷାକର୍ମୀ ରୁହନ୍ତି ତେବେ ୧୦ଟି ଜାଗାରେ ୨୦ ଜଣ ରହିବେ। ୨୦ ଜଣଙ୍କୁ ୯ ଦିନ ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ? ଯଦି ଅଧିକ ସୁରକ୍ଷା କର୍ମୀ ନେବେ ତେବେ ସ୍ଥାନୀୟ ଯୁବକଙ୍କୁ ସୁଯୋଗ ଦିଅନ୍ତୁ । ସେମାନେ ରୋଜଗାରକ୍ଷମ ହେବେ। ପାର୍କିଂ ଜାଗାରେ ସିସିଟିଭି ଲଗାଇଲେ ସୁରକ୍ଷା ବଢ଼ିବ ଓ କମ୍ ଖର୍ଚ୍ଚ ହେବ।
