ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯିବା ସହିତ ଜଡିତ ରହିଛି।
କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରକାଶ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ ଟିମରେ ତାଙ୍କୁ ସାମିଲ କରାଯାଇ ନଥିଲା । ଯେଉଁ କାରଣରୁ ତାଙ୍କର ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେବାର ସମ୍ଭାବନା କମିଯାଇଥିଲା ।
୨୦୨୫ ଚାମ୍ପିୟନ୍ସ ଟ୍ରଫି ଟିମରେ ସଞ୍ଜୁ ସାମସନ୍ ଭାରତୀୟ ଦଳରୁ ବାହାରେ ରହିବା ନେଇ ଏସ୍ ଶ୍ରୀସନ୍ଥ କେସିଏକୁ (କେରଳ କ୍ରିକେଟ୍ ଆସୋସିଏସନ୍) ଦାୟୀ କରିଥିଲେ । ଏହାପରେ କେସିଏ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।
ଏହାସହ କାହିଁକି ଏସ୍ ଶ୍ରୀସନ୍ଥ ଏଭଳି ଅପମାନଜନକ ମନ୍ତବ୍ୟ ଦେଲେ ତାର ଉତ୍ତର ଦାବି କରିଥିଲା କେସିଏ। ହେଲେ କାରଣ ଦର୍ଶାଅ ନୋଟିସ୍ ପରେ ମଧ୍ୟ ଶ୍ରୀସନ୍ଥ ପଛକୁ ହଟି ନଥିଲେ ।
ଶ୍ରୀସନ୍ଥଙ୍କ କହିବାନୁସାରେ, ‘କେସିଏ ଅଲଗା ରାଜ୍ୟରୁ ଖେଳାଳି ଆଣି ଖେଳାଉଛନ୍ତି । ଯାହାକି ମାଲାୟାଲୀ କ୍ରିକେଟରଙ୍କ ପାଇଁ ଅପମାନର କଥା ।’
