୯ରୁ ବଢିବ ତାତି : ଆଜି ୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା

youtube

ଭୁବନେଶ୍ବର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୧୩ରେ ଦକ୍ଷିଣ-ଆଣ୍ଡାମାନ ସାଗରକୁ ଛୁଇଁବ। ଦକ୍ଷିଣ-ବଙ୍ଗୋପସାଗର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ହେବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୌସୁମୀ ବାୟୁ କେବେ କେରଳ ଛୁଇଁବ ସେ ସଂକ୍ରାନ୍ତରେ ଆଇଏମଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ସାଧାରଣତଃ ଆଣ୍ଡାମାନ ସାଗର ଛୁଇଁବାର ୨ ସପ୍ତାହ ମଧ୍ୟରେ ଅର୍ଥାତ୍‌ ଜୁନ୍‌ ପହିଲାବେଳକୁ ମୌସୁମୀ କେରଳ ସ୍ପର୍ଶ କରେ। ତଦନୁଯାୟୀ ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁଥାଏ ମୌସୁମୀ। ଅର୍ଥାତ୍‌ ରଜବେଳକୁ ମୌସୁମୀ ଓଡ଼ିଶାରେ ପହଞ୍ଚୁଥିବା ସ୍ବାଭାବିକ ଭାବେ ଦେଖାଯାଏ।
ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ଆଣ୍ଡାମାନ ସାଗର ଶୀଘ୍ର ଛୁଇଁବ। ୨୦୨୪ ଓ ୨୦୨୩ ମସିହାରେ ମେ’ ୧୯ରେ ମୌସୁମୀ ବାୟୁ ଦକ୍ଷିଣ-ଆଣ୍ଡାମାନ ସାଗର ସ୍ପର୍ଶ କରିଥିଲା। ଚଳିତ ବର୍ଷ ମୌସୁମୀ ବାୟୁ ୬ଦିନ ଆଗରୁ ଦକ୍ଷିଣ-ଆଣ୍ଡାମାନ ସାଗର ଛୁଇଁବ। ଏହା ପୂର୍ବରୁ ୨୦୨୨ରେ ମେ’ ୧୮, ୨୦୨୧ରେ ମେ’ ୨୧ ଏବଂ ୨୦୨୦ରେ ମେ’ ୧୭ରେ ଦକ୍ଷିଣ-ଆଣ୍ଡାମାନ ସାଗର ଛୁଇଁଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବେ କେରଳ ଆସିବ ସେ ସମ୍ବନ୍ଧରେ ଆଇଏମଡି କିଛି ସ୍ପଷ୍ଟ କରି ନଥିଲେ ବି ମେ’ ୩୧ରୁ ଜୁନ୍ ୫ ମଧ୍ୟରେ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିପାରେ ବୋଲି କେତେକ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ୨୦୨୪ରେ ମୌସୁମୀ ମେ’ ୩୦ରେ କେରଳ ଛୁଇଁଥିଲା। ଯଦି ଘରୋଇ ପାଣିପାଗ ସଂସ୍ଥା ଆକଳନ ଅନୁସାରେ ମୌସୁମୀ ମେ’ ୩୧ରୁ ଜୁନ୍ ୫ମଧ୍ୟରେ କେରଳ ଛୁଏଁ, ତେବେ ଏହାର ୧୦ରୁ ୧୨ଦିନ ପରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। କିଛି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି ଯେ, ଜୁନ୍ ୮ରୁ ୧୪ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।
କାଳବୈଶାଖୀ ଯୋଗୁ ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି। ସମସ୍ତ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳେ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, କିଛିଦିନ ବ୍ୟବଧାନରେ ପୁଣି ରାଜ୍ୟକୁ ଫେରିବ ତାତି। ଆସନ୍ତା ୯ରୁ ରାଜ୍ୟର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ଝଡବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.