
କେତେବେଳେ ଡ୍ରୋନ୍ ପୁଣି କେତେବେଳେ ବୋମା କି ମିଶାଇଲ ପାକିସ୍ତାନ ଛାଡୁଥିଲା ଭାରତ ଉପରକୁ । ସୀମା ଆରପଟୁ ଜମ୍ମୁ କଶ୍ମୀର ଅଞ୍ଚଳବାସୀଙ୍କ ଉପରକୁ ଗୁଳି ଚଳାଉଥିଲା । ଆଉ ଭାରତ ପକ୍ଷରୁ ଦିଆଯାଉଥିଲା ତାର କଡ଼ା ଜବାବ । ଏହି ଉତ୍ତେଜନା ଭିତରେ ଯୁଦ୍ଧ ଲମ୍ବା ଚାଲିବ ବୋଲି ଆଶଙ୍କା କରାଯାଉଥିଲେ । ହେଲେ ଆଚାନକ ଆଜି ସନ୍ଧ୍ୟାରେ ଆସିଲା ବିଶ୍ବର ସବୁଠୁ ବଡ଼ ଖବର । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟମ୍ପ୍ର ନିଜ ଏକ୍ସରେ ଲେଖିଲେ ଭାରତ ଓ ପାକିସ୍ତାନ ତୁରନ୍ତ ସମ୍ପୂର୍ଣ୍ଣ ଯୁଦ୍ଧ ବିରତି କରିବାକୁ ରାଜି । ପ୍ରଥମେ ତ ବିଶ୍ବାସ ହେଲା ନାହିଁ । ଏହା ସତ ନା କିଛି ଜାଲି ଟୁଇଟ୍ ବୋଲି । ହେଲେ କିଛି ସମୟ ଭିତରେ ଉଭୟ ଭାରତ ଓ ପାକିସ୍ତାନ ପକ୍ଷରୁ ମଧ୍ୟ ସୂଚନା ଦିଆଗଲା କି ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ସହମତ ହୋଇଛନ୍ତି ।
ତେବେ ଠିକ୍ ଏହାର ପୂର୍ବରୁ ଭାରତ ଘୋଷଣା କରିଥିଲା କି ଆଗକୁ ଯେକୌଣସି ଆତଙ୍କବାଦୀ ଆକ୍ରମଣ ଭାରତ ଉପରେ ହୁଏ ତେବେ ତାହାକୁ ଆମେ ଯୁଦ୍ଧ ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବୁ । ଯୁଦ୍ଧ ବିରତି ପାଇଁ ଭାରତ ଓ ପାକିସ୍ତାନ ରାଜି ବୋଲି ଜଣାଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଗତ ରାତିରେ ଦୁଇ ଦେଶ ମଧ୍ୟରେ ଲମ୍ବା ଆଲୋଚନା ପରେ ଯୁଦ୍ଧ ବନ୍ଦ ପାଇଁ ରାଜି ହୋଇଥିବା ସେ ସୂଚନା ଦେଇଥିଲେ ।
ଦୁଇ ଦେଶ ଯୁଦ୍ଧ ବନ୍ଦ ପାଇଁ ରାଜି ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଅବଶ୍ୟ ଭାରତ ପାକିସ୍ତାନ ଯୁଦ୍ଧ ବିରତି ନେଇ ଜାତିସଂଘ ଓ ଟ୍ରମ୍ପ ଉଭୟ ମଧ୍ୟସ୍ଥତା କରିଥିଲେ । ଯୁଦ୍ଧ ବିରତି ନେଇ ଭାରତ ପକ୍ଷରୁ ଭାରତ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେବା ପରେ କର୍ଣ୍ଣେଲ ସୋଫିଆ କୁରେସୀ, ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ, କମୋଡର ରଘୁ ଆର. ନାୟାର ବିସ୍ତୃତ ଭାବେ ସୂଚନା ଦେଇଥିଲେ ।
ଆଜି ଅପରାହ୍ନ ୩ଟା ୩୫ରେ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏ ନେଇ ଆସନ୍ତା ୧୨ ତାରିଖ ଦିନ ପୁଣି ଆଲୋଚନା ହେବ । ସେପଟେ ଆମେରିକା ସଚିବ ମାର୍କେ ରୁବିଓ ମଧ୍ୟ ଉଭୟ ଦେଶ ସହ ନୀର୍ଘ ସମୟ ଧରି ଆଲୋଚନା କରିଥିଲେ । ନରେନ୍ଦ୍ର ମୋଦି, ଶେହବାଜ ସରିଫଙ୍କ ସମେତ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଅଜିତ ଡୋଭାଲ ପ୍ରମୁଖଙ୍କ ସହ ସେ କଥା ହୋଇଥିଲେ । ରୁବିଓ ଏହି ଯୁଦ୍ଧ ବିରତିରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ।
ଏହି ରାଜିନାମା ପରେ ଉଭୟ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି । ତେବେ ଯୁଦ୍ଧ ବିରତି ନେଇ ଖୁସି ପ୍ରକଟ କରିବା ସହ ଆହତଙ୍କ ଚିକିତ୍ସା ଏବଂ ଗୁଳିଗୋଳା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଥଇଥାନ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।