ମାମୁଁ ଘର ଅଗଣା କୂଅରୁ ମିଳିଲା ଭଣଜାର ମୃତଦେହ

youtube

ଦାରିଙ୍ଗବାଡ଼ି: ଭେଣ୍ଡିଆ ପୁଅର ମର ଶରୀରକୁ ଧରି କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକେ । ଏତିକି କେମିତି ତାଙ୍କର ମୃତ୍ୟୁ ହେଲା କେହି ସହଜରେ ଗ୍ରହଣ ପାରୁନାହାନ୍ତି । ଘରେ ହିଁ ମରି ପଡିଥିଲା ପୁଅ, ହେଲେ ଖୋଜି ଖୋଜି ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଥିଲା । ତେବେ ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ ।

ମାମୁଁ ଘର ଅଗଣାରେ ଥିବା କୂଅ ଭିତରେ ଭଣଜାର ଗଳିତ ମୃତଦେହ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଦାରିଙ୍ଗବାଡ଼ି ସନାମାହା ସାହିର ଶିଶିର ସାହୁଙ୍କ ଘରେ । ଘର ଅଗଣାରେ ଥିବା କୂଅରେ ପଡ଼ି ୨୪ ବର୍ଷର ଭଣଜା ଦେବାଶିଷ ସାହୁଙ୍କର ମୃତ୍ୟୁ ହୋଇଛି । ଶିଶିର ସାହୁଙ୍କ ଭଉଣି ବିଜୟ ଲକ୍ଷ୍ମୀସାହୁ, ଭିଣୋଇ ଚିତ୍ତରଞ୍ଜନ ସାହୁ ଓ ଭଣଜା ଦେବାଶିଷ ଆଜକୁ ୨୦ ବର୍ଷ ହେବ ରହି ଆସୁଥିଲେ ଏବଂ ବଡ଼ ହେଲା ପରେ ମାମୁଁଙ୍କ ପ୍ରତ୍ୟେକ କାମରେ ଭଣଜା ସାହାଯ୍ୟ କରିଆସୁଥିଲେ ।

କିନ୍ତୁ ହଠାତ୍ ତିନିଦିନ ତଳେ ଦେବାଶିଷ କୁଆଡ଼େ ଚାଲିଯାଇଥିଲେ । ଭଣଜା ଦେବାଶିଷଙ୍କୁ ଘରେ ନଦେଖି ଆଖପାଖ ବହୁତ ଖୋଜା ଖୋଜି କଲେ ପରିବାର ଲୋକେ । ଶେଷରେ ନପାଇ ହତାଶ ହୋଇ ମାମୁଁ ଶିଶିର ଭଣଜାର ନିଖୋଜ ନେଇ ଦାରିଙ୍ଗବାଡ଼ି ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ୧୫ ତାରିଖ ଦିନ ୧୧ ଘଣ୍ଟିକା ସମୟରେ ଦେବାଶିଷଙ୍କ ଗଳିତ ମୃତଦେହ ଘର ଅଗଣାରେ ଥିବା କୂଅ ଭିତରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଯାହାକୁ ସହଜରେ କେହି ବିଶ୍ୱାସ କରିପାରିନଥିଲେ ।

ତିନି ଦିନ ଧରି ଦେବାଶିଷଙ୍କ ମୃତଦେହ ପଡିଥିବା କୂଅରୁ ହିଁ ପାଣି ଆଣି ଘର ଲୋକେ ଗାଧୋଇବା, ପିଇବା ଠାରୁ ଆରମ୍ଭ କରି ପୂଜା କରିବା ପର୍ଯ୍ୟନ୍ତ ବ୍ୟବହାର କରୁଥିଲେ । ତେବେ ଶେଷରେ ଘଟଣା ନେଇ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେବା ପରେ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ସେପଟେ ଏହି ଘଟଣାକୁ ଦେବାଶିଷଙ୍କ ସାଙ୍ଗ ସାଥି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି । କାରଣ ସେ ଜଣେ ଶାନ୍ତ ସ୍ଵଭାବର ପିଲା ଥିଲେ । କାହା ସହ କୌଣସି ଝଗଡ଼ା କିମ୍ବା ପ୍ରେମ ସମ୍ପର୍କ ନଥିବା ମଧ୍ୟ ସାଙ୍ଗ ସାଥି କହିଛନ୍ତି । ତେବେ ଏହି ଘଟଣା ପରେ ସମସ୍ତଙ୍କ ମନରେ ଉଙ୍କି ମାରିଛି ଅନେକ ପ୍ରଶ୍ନ ଏହା ଏକ ହତ୍ୟା ନା ଆଉ କିଛି? ମୃତ ଦେବାଶିଷଙ୍କ ମାନସିକ ସ୍ଥିତି ଠିକ ନଥିଲା କି? ଦେବାଶିଷ କୂଅରେ ପଡିଲେ କେହି କେମିତି ଜାଣି ପାରିଲେନି? ଏହି ଘଟଣା ପରେ କେସ୍ ନଂ ୯/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ସଠିକ ତଦନ୍ତ କରାଯିବା ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି । ତେବେ ଉଚିତ୍ ତଦନ୍ତ ପରେ ହିଁ ଘଟଣା ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.