
ଭୁବନେଶ୍ୱର: ରାଜ୍ୟର ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣାକୁ ବିଜେଡି ଧୋକା ଓ ପ୍ରବଞ୍ଚନା ବୋଲି କହିଛି। ଏସ୍ଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଏହି ଦାବି ନେଇ ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଓବିସି ସେଲ୍ ଆବାହକ ତଥା ବିଧାୟକ ଅରୁଣ କୁମାର ସାହୁ, ବରିଷ୍ଠ ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।
ବିଧାୟକ ଶ୍ରୀ ସାହୁ କହିଲେ, ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି ଯେ ୧୧.୨୫% ସଂରକ୍ଷଣ କେବଳ ଅଣବୈଷୟିକ ଓ ଅଣ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜ୍ୟ ସରକାରଙ୍କ ତରଫରୁ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଛି, ସେହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ଆସନଗୁଡ଼ିକ ପ୍ରାୟତଃ ଖାଲି ପଡ଼ୁଛି। ଖାଲି ପଡ଼ୁଥିବା ଆସନ ପାଇଁ ସଂରକ୍ଷଣ ଘୋଷଣା କରିବା ଓ ଏହାକୁ ଐତିହାସିକ ବୋଲି ଦାବି କରିବା ହାସ୍ୟାସ୍ପଦ। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଗୋଟିଏ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଛି।
ବିଧାନସଭାରେ ମୁଲତବି ପ୍ରସ୍ତାବ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବା ସହିତ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲୁ। ଆମର ଦୃଢ଼ ଦାବି ଓ ରାଜ୍ୟର ପଛୁଆ ବର୍ଗଙ୍କ ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବେ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର କ୍ଷମତାକୁ ଆସିବାର ଏକ ବର୍ଷ ପୂରଣ ହେବାକୁ ଯାଉଛି ଏବଂ ଏହି ଏକ ବର୍ଷରେ ସରକାର ସେପରି କିଛି ଆଖିଦୃଶିଆ ଉପଲବ୍ଧି ହାସଲ କରିପାରି ନାହାନ୍ତି। ତେଣୁ ତରବରିଆ ଭାବେ ଏଭଳି ଏକ ପ୍ରଭାବହୀନ ସଂରକ୍ଷଣ ଘୋଷଣା କରିଛନ୍ତି। ଇଂଜିନିୟରିଂ, ମେଡିକାଲ ଓ ଅନ୍ୟ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ।