
ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ବିଜେଡିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ । ଶନିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଏଥିସହିତ ରାଜ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ବିଜୁ ଜନତା ଦଳ ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଦଳ ସଦସ୍ୟ । ତେବେ ବୈଠକ ଆରମ୍ଭରେ ୨୨ ଅପ୍ରେଲ ୨୦୨୫ ରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟକ୍ତିମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏଥିସହିତ ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାବାହିନୀର ଅତୁଳନୀୟ ଦକ୍ଷତା, ସାହସ ଓ ପରାକ୍ରମର ଉଚ୍ଚ ପ୍ରଶଂସା କରାଯିବା ଭାରତୀୟ ସେନାଙ୍କ ପାଇଁ ବିଜେଡି ଗର୍ବିତ ବୋଲି ମତ ରଖିଥିଲେ ସୁପ୍ରିମୋ ନବୀନ ।
ଏହାପରେ ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସରକାର ଯତ୍ନବାନ ହେବେ ବୋଲି ବୈଠକରେ ଆଶା ବ୍ୟକ୍ତ କରାଯାଇଥିଲା ।
ଏଥିସହିତ ଓଡିଶାରେ ୨୦୧୫ ରୁ ୨୦୨୪ ମଧ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ପ୍ରକାଶିତ ଆଇସିଆରଏ ରିପୋର୍ଟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଯେଉଁଥିରେ ଦେଶର ୧୯ ଟି ରାଜ୍ୟ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା ଜିଏସଭିଏ( Gross State value Added)ରେ ସର୍ବୋଚ୍ଚ ୧୦ ପ୍ରତିଶତ ହାସଲ କରିଥିବା ବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୭ ପ୍ରତିଶତରୁ ଅଧିକ ଜିଏସଭିଏ ହାସଲ କରିଥିଲା ।
ହେଲଷ ଏବେ ବର୍ତ୍ତମାନର ବିଜେପି ସରକାର ସମୟରେ ରାଜ୍ୟରେ ଆର୍ଥିକ ଓ ଶିଳ୍ପ ବିକାଶର ବେଗ ନିମ୍ନମୁଖୀ ହୋଇଥିବା ଅଭିଯୋଗ କରିଛି ଦଳ । ରାଜନୈତିକ ଫାଇଦା ପାଇଁ ଟିକସ ଦାତାଙ୍କର ଅର୍ଥକୁ କେବଳ ରଙ୍ଗ ପରିବର୍ତ୍ତନ ଓ ବିଜେଡି ସରକାର ସମୟର ଯୋଜନାର ନାମ ପରିବର୍ତ୍ତନରେ ଅପବ୍ୟୟ ନ କରି ବିଜେପି ସରକାର ରାଜ୍ୟର ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା ।