ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରସଙ୍ଗ: ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

youtube

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ଜାରି କଲେ ନିର୍ଦ୍ଦେଶନାମା ।  ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ  , ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯେଉଁଥିରେ ମନ୍ଦିରର ସମ୍ପତ୍ତିର ବିକ୍ରୟ, ଲିଜ୍, ହସ୍ତାନ୍ତର ଏବଂ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ ଏବଂ ବ୍ୟାପକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିରର ସମ୍ପତ୍ତି ବିବାଦ ସହିତ ଜଡିତ ଏକ ମାମଲାର ଶୁଣାଣି କରି ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି।

ତେବେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କହିଛି, କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭୂସମ୍ପତ୍ତି ଗୁଡିକର କମ୍ପ୍ୟୁଟରୀକରଣ ସହ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ ।  ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ। ଏହି ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ ଏବଂ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି ।

Leave A Reply

Your email address will not be published.