
ପୁରୀ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଘଟଣାରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ସେନାପତି। ସେ କହିଛନ୍ତି, ଜ୍ୟୋତି ମୋର କେବଳ ଜଣେ ସାଙ୍ଗ। ୟୁଟ୍ୟୁବ ମାଧ୍ୟମରେ ତାଙ୍କ ସହ ମୋର ପରିଚୟ ହୋଇଥିଲା। ଜ୍ୟୋତି ମାଲହୋତ୍ରା ଯେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି, ସେ ସଂପର୍କରେ ମୁଁ ଅଜ୍ଞ। ଯଦି ସେ ବିଷୟରେ ଜାଣିଥାନ୍ତି ଯେ ଜ୍ୟୋତି ମାଲହୋତ୍ରା ଶତ୍ରୁ ରାଷ୍ଟ୍ରର ଗୁଇନ୍ଦାଗିରି କରୁଛନ୍ତି ବୋଲି, ତେବେ ମୁଁ ତାଙ୍କ ସଂପର୍କରେ ରହିନଥାନ୍ତି। କେବଳ କଣ୍ଟେଟ କ୍ରିଏସନ୍ ହେତୁ ମୁଁ ବୃତ୍ତିଗତ ଭାବେ ତାଙ୍କୁ ଜାଣେ। ତାଙ୍କ ବିଷୟରେ ଶୁଣି ମୁଁ ଚକିତ। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପଚରାଉଚରା କରିବାକୁ ଚାହିଁବେ, ମୁଁ ସେଥିଲାଗି ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ସର୍ବୋପରି ଆଗେ ରାଷ୍ଟ୍ର । ଜୟହିନ୍ଦ୍।
ସୂଚନାଯୋଗ୍ୟ, ଆଜି ପୁରୀ ପୁଲିସ ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛି। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଛାନଭିନ ହୋଇଛି। ଏକଥାକୁ ପ୍ରିୟଙ୍କାଙ୍କ ବାପା ବି ସ୍ବୀକାର କରିଛନ୍ତି ଓ ସେ କହିଛନ୍ତି, ଝିଅ ତଦନ୍ତରେ ସହଯୋଗ କରିଛି। ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଥିବା ଚର୍ଚ୍ଚା ଜୋର ଧରିଛି । ଏ ନେଇ ଓଡିଶା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ତେଣେ ସେଣ୍ଟ୍ରାଲ ଇଣ୍ଟେଲ୍ଲିଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ଏନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମର ନେତୃତ୍ବ ନେଉଛନ୍ତି । ହରିୟାଣା ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି।