ଯୁକ୍ତ ୨ ଫଳ ପ୍ରକାଶନରେ ବିଳମ୍ବ: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର

youtube

ଭୁବନେଶ୍ବର: ରାଜ୍ୟ ସରକାର ସରକାର ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଜୁନ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କରିଛନ୍ତି। ଫଳରେ ଆଜି ଶେଷ ହେଉଥିବା ଆବେଦନ ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ସିଏଏଫ୍‌ରେ ଆବେଦନ କରିଛନ୍ତି, ସେମାନେ ମାର୍କସିଟ୍‌ ଅପଲୋଡ କରିପାରିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ‌ସିଲେକ୍‌ସନ ଡେଟ୍‌ଲାଇନ୍‌ ପରିବର୍ତ୍ତୀ ସମୟରେ ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା ଫଳ-୨୦୨୫ ଏପର୍ଯ୍ୟନ୍ତ ପ୍ରକାଶ ପାଇପାରି ନାହିଁ। କିନ୍ତୁ ଯୁକ୍ତ ୩ ନାମଲେଖା ପାଇଁ ଆଜି ଆବେଦନ ଶେଷ ହେଉଥିଲା। କାରଣ ଯୁକ୍ତ୨ ପରୀକ୍ଷା ଫଳ ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଅନିବାର୍ଯ୍ୟ ବଶତଃ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ହୋଇପାରିନାହିଁ, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଥିଲେ। ସରକାରଙ୍କ ବିଭାଗ-ବିଭାଗ ସମନ୍ବୟର ଅଭାବକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଚେତା ପଶିଛି। ଶେଷରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି।
ପୂର୍ବରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏପିଲ ୧୬ରେ ଆରମ୍ଭ ହୋଇ ମେ ୨୦ ତାରିଖ ଅର୍ଥାତ ଆଜି ଶେଷ ହେବାର ଥିଲା। କିନ୍ତୁ ଏଯାଏଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିନଥିବା ବେଳେ କିପରି ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଶେଷ ହେଉଛି ବୋଲି ଶିକ୍ଷାବିତମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲ୍‌ରେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଏଥିସହିତ +୨ ପରୀକ୍ଷାରେ ରଖିଥିବା ନିଜର ମାର୍କକୁ ମଧ୍ୟ ଜୁନ୍‌ ୧ ତାରିଖ ସୁଦ୍ଧା ଅପଲୋଡ଼ କରିପାରିବେ।

Leave A Reply

Your email address will not be published.