
ଭୁବନେଶ୍ବର: ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍ ଜନମନ) କାର୍ଯ୍ୟକାରୀ ହେଉଛି। ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ। ଏହି ଯୋଜନାରେ ରାଜ୍ୟର ୧୪ଟି ଜିଲ୍ଲାର ୫୫ଟି ବ୍ଲକ, ୧୭୫୧ଟି ଗ୍ରାମ-ଜନ ବସତି, ୨୮୯ଟି ଗ୍ରାମ ପଞ୍ଚାୟତ ଓ ୨ଟି ପୌର ପ୍ରଶାସିତ ଅଞ୍ଚଳ ସାମିଲ ରହିଛି। ସମୁଦାୟ ୬୮ହଜାର ୬୦୫ଟି ପରିବାରର ୩ଲକ୍ଷ ୧୪ହଜାର ୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ। ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫ହଜାର ୪୦୮ଟି ଘର, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୧୦ କି.ମି ପକ୍କା ସଡକ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ, ୩୫୧ଟି ଅଞ୍ଚଳରେ ମୋବାଇଲ ଟାୱାର ସଂଯୋଗୀକରଣ, ୪୦୫ଟି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ୧୪ ଟି ଜିଲ୍ଲାର ଯେଉଁ ଜନ ବସତିର ୫ କି.ମି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ ସେହି ଅଞ୍ଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରହିଥିଲା। ସମସ୍ତ ୧୦୫୫ଟି ଜନ ବସତିକୁ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଯୋଗାଇ ଦିଆଯାଇଛି। ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ ହୋଇପାରିଛି। ପିଭିଟିଜି(ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ) ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଜଳ, ବିଦ୍ୟୁତ ଯୋଗାଣ, ମୋବାଇଲ ସଂଯୋଗ ଆଦି କାର୍ଯ୍ୟଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ସଚିବମାନଙ୍କୁ କୁହାଯାଇଛି। ଯୋଗାଯୋଗ ହୋଇପାରୁ ନ ଥିବା କିମ୍ବା ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସଚିବ ପରିଦର୍ଶନରେ ଯାଇ ସେଠାକାର କାମ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।