
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ରାଜସ୍ବ ଅଞ୍ଚଳର କୋମଣ୍ଡ ଓ ରୋହିବାଙ୍କ ପଥର ଖଣିରୁ ବେଆଇନ ପଥର କଟା ଓ ପଥର ଚାଲାଣ କୁ ନେଇ ଦୀର୍ଘଦିନ ହେବ ଲାଗିଥିବା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ କୁ ପ୍ରଶମିତ କରିବା ପାଇଁ ଉଭୟ ପକ୍ଷ କୋମଣ୍ଡ ଢାବା ଠାରେ ମିଳିତ ହୋଇଥିଲେ । ଆଲୋଚନାରୁ ଉତ୍ତେଜନା ସୃଷ୍ଟି ହୋଇ ଚେୟାର ଫିଙ୍ଗାଫିଙ୍ଗି ହୋଇ ଭଙ୍ଗା ଚେୟାର ମାଡ଼ରେ ଜଣଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି ।ଗୁରୁତର ଆହତ ହୋଇଥିବା ଯୁବକ ଜଣକ ରୋହିବାଙ୍କ ବାଘୁଆ ଛକର ବିଶ୍ଵନାଥ ପଣ୍ଡାଙ୍କ ପୁଅ ଜଗନ୍ନାଥ ପଣ୍ଡା (୨୬) । ଜଗନ୍ନାଥ ଆହତ ହେବା ପରେ ଗଣ୍ଡଗୋଳ ଥମି ଯାଇଥିଲା । ଆହତ ଜଗନ୍ନାଥଙ୍କୁ ସଙ୍ଗେସଙ୍ଗେ ଓଡ଼ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଥିଲା । ସୂଚନା ଅନୁଯାୟୀ ଯେତେବେଳେ ମାଙ୍କଡ଼ା ପଥର ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ଥିଲା ଏକ ମାଙ୍କଡ଼ା ବୋଝେଇ ଟ୍ରକ ଚାଲାଣ ହେଉଥିବା ବେଳେ ଏହାକୁ ବିରୋଧ କରି ଏକ ଗୁପ୍ତ ସ୍ଥାନରେ ଅଟକାଇ ରଖାଯାଇଥିଲା ।ପରିସ୍ଥିତି ସ୍ବାଭାବିକ ପରେ ବିଳମ୍ବିତ ରାତିରେ ଉକ୍ତ ଟ୍ରକ ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଥିଲା ।ଏହି ଘଟଣା ଜଣାପଡିବା ପରେ ମାଙ୍କଡ଼ା ଖଣି ସହିତ ସଂପୃକ୍ତ ମାଫିଆ ମନେ କୋମଣ୍ଡ ଢାବା ରେ ଏକାଠି ହେବାକୁ ସ୍ଥିର କରିଥିଲେ ।ମାତ୍ର ଆଲୋଚନା ରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ର କିଛି ଯୁବକ ଗୋଟିଏ ଗୋଷ୍ଠୀର ଡାକରାରେ ଆସି ଗଣ୍ଡଗୋଳ କରିଥିଲେ ।ଆହତ ଜଗନ୍ନାଥଙ୍କ ବାପା ବିଶ୍ଵନାଥ ପଣ୍ଡା ଉକ୍ତ ଘଟଣାକୁ ନେଇ ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଅଭିଯୁକ୍ତ ସରୋଜ କୁମାର ପୃଷ୍ଟି ଓ ପ୍ରଭାତ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି ।