
ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଲାଗୁ ହେବ । ଜୁନ୍ ୧୫ରୁ ଜୁନ୍ ୨୦ ଭିତରେ ନୂଆ ଅବକାରୀ ନୀତି ନେଇ ପଲିସି ଆସିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବ । ଏଥିପାଇଁ ୩ ବର୍ଷିଆ ପଲିସି ଆଣିବାକୁ ଯାଉଛୁ ।ଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି । ସଚିବଙ୍କ ନେତୃତ୍ବରେ ଏକ୍ ଟିମ୍ ଆନ୍ଧ୍ରପ୍ରଦେଶ ଯିବେ । ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି । ଆସନ୍ତା ଜୁନ୍ ୧୫ରୁ ଜୁନ୍ ୨୦ ଭିତରେ ନୂଆ ପଲିସି ଆସିଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ବିଜେଡି ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ ହେଉଛି । ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିବା ବେଳେ, ଏହାରି ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି ।
ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ନୂଆ ସରକାର ଯୋଜନା ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଏହା ପରେ ନୂଆ ସରକାର ଆସିବା ପରେ , ଏହାକୁ ପ୍ରଥମେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ । ପରେ ନୂଆ ଅବକାରୀ ନୀତି ନେଇ କାମ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର ଅବଧି ମାସେ ମାସେ ବୃଦ୍ଧି କରାଯାଉଛି ।