
ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ, ଜର୍ମାନୀଙ୍କ ସହାୟତାରେ ଜି-ସେଫ ପ୍ରକଳ୍ପ ତରଫରୁ ଏହା ଆୟୋଜିତ ହୋଇଛି ।
ଏହି କର୍ମଶାଳାରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଅଧିକାର ଆଇନ, ପୋକ୍ସୋ ଆଇନ, ଜୁଭେନାଇଲ୍ ଜଷ୍ଟିସ ଆଇନ ଏବଂ ନାବାଳକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଯାଇଛି । କର୍ମଶାଳାରେ ଶିଶୁ ସଂବେଦନଶୀଳ ପୀଡ଼ିତ ବ୍ୟବସ୍ଥା, ଲିଙ୍ଗଭିତ୍ତିକ ବ୍ୟବହାର, ଶିଶୁ ସୁରକ୍ଷା ନିମିତ୍ତ ବିଭିନ୍ନ ଆଇନଗତ ଓ ପ୍ରାଶାସନିକ ପଦକ୍ଷେପ, ଶିଶୁ ଶୋଷଣ ଓ ଶିଶୁ ପୋଷଣ ବ୍ୟବସ୍ଥା, ଶାରୀରିକ ଉତ୍ପୀଡନ, ବାଲ୍ୟ ବିବାହ, ବାଳ ଅପରାଧୀ ନିରାକରଣ ଇତ୍ୟାଦି ଉପରେ ଆଲୋଚନା କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପରାମର୍ଶଦାତାମାନେ ସଚେତନ କରିଥିଲେ ।
ଏହି ଅବସରରେ ପୋଲିସ କମିଶନର ଡ଼ଃ. ସିଂହ ଏହି କର୍ମଶାଳାର ଗୁରୁତ୍ଵ ଉପରେ ଆଲୋକପାତ କରିବା ସହ ଶିଶୁ ଏବଂ ମହିଳା ସୁରକ୍ଷା ପ୍ରତି ଭୁବନେଶ୍ଵର-କଟକ ପୋଲିସ କମିଶନରେଟର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିରେ ପୋଲିସ କମିଶନର ଡ଼ଃ. ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଆଡିସନାଲ୍ ଡ଼ିସିପି, ଭୁବନେଶ୍ଵର ଅମୃତପାଲ କୌରଙ୍କ ଉପସ୍ଥିତ ଥିଲେ ।
ଏଥିରେ ପୋଲିସ ବିଭାଗ ତରଫରୁ ଭୁବନେଶ୍ଵର ଅନ୍ତର୍ଗତ ସମସ୍ତ ଥାନାର ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ, ମହିଳା ଥାନା ଆଇଆଇସି, ନନ୍ଦନକାନନ ଥାନା ଆଇଆଇସି, କମିଶନରେଟ ମୁଖ୍ୟାଳୟର ବିଭିନ ପୋଲିସ ଅଧିକାରୀମାନେ ଭାଗ ନେଇଥିବା ବେଳେ ଅନ୍ୟ ବିଭାଗରୁ ସୁମିତାରାଣୀ ଘୋଷ, ସଦସ୍ୟ, ଭୁବନେଶ୍ଵର ସିଡବ୍ଲୁସି, ଜୱାହର ତ୍ରିପାଠୀ, ସଦସ୍ୟ, ଅତିରିକ୍ତ କିଶୋର ନ୍ୟାୟ ପରିଷଦ, ଭୁବନେଶ୍ଵର, ତଥା ଅନୁରାଧା ମହାନ୍ତି, ପିକକ୍, ରାଜେନ୍ଦ୍ର ମେହେର, ବେଣୁଧର ସେନାପତି, ରୁଚିକା ସୋସିଆଲ ସର୍ଭିସେସ୍ ଭଳି ଏନଜିଓରୁ ପରାମର୍ଶଦାତାମାନେ ଅଂଶଗ୍ରହଣ କରିଥିଲେ ।
ସିନି ପକ୍ଷରୁ ଏହି କାର୍ଯ୍ୟକ୍ରମଟିକୁ ଶାଶ୍ଵତୀ ମହାପାତ୍ର, ଏସ୍ ପି ଏମ୍, ସିନି-ଓଡିଶା ଓ ସ୍ନେହପ୍ରଭା ମହାପାତ୍ର ପରିଚାଳନା କରିଥିଲାବେଳେ ପୋଲିସ କମିଶନରେଟ ତରଫରୁ ନୋଡାଲ ଅଫିସର ଭାବେ ସୁଚିସ୍ମିତା ଦାସ, ଏସିପି, ଆଇଟି ଓ ସୋସିଆଲ୍ ମିଡିଆ ସେଲ୍ ସଂଯୋଜନା କରିଥିଲେ ।