
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା କେବଳ କାଗଜ କଲମରେ ସୀମିତ ରହିଛି ।ପ୍ରତିବର୍ଷ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ କରାଯାଇ କିଛି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ପର ମୁହୂର୍ତ୍ତରେ ସେମାନଙ୍କୁ ପୁଣି ଶିଶୁ ଶ୍ରମିକ ଭାବରେ ଦେଖିବାକୁ ମିଳିଛି ।ନୟାଗଡ଼ ସହର ତଥା ଏହାର ବିଭିନ୍ନ ବ୍ଲକର ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଶହଶହ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।ଅନେକ ଭୋଜିରେ ଏହି ଶିଶୁ ଶ୍ରମିକ ମାନେ କ୍ୟାଟରିଂ ବୟ ଭାବେ କାର୍ଯ୍ୟ କରୁଛନ୍ତି।ଅନେକ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଗ୍ୟାରେଜ ଗୁଡିକରେ ଅନେକ ଶିଶୁ ଶ୍ରମିକ କାମ କରୁଥିବା ବେଳେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ ।ମାତ୍ର ପ୍ରତିବର୍ଷ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁ ଶ୍ରମିକ ଦିବସ ପାଳନ କରିବା ହାସ୍ୟାସ୍ପଦ ବୋଲି ଆଲୋଚନା ହେଉଛି।ଆର୍ଥିକ ଅନଟନ ମଧ୍ୟରେ ଥିବା ପରିବାର ଓ ଉପାନ୍ତ ଅଞ୍ଚଳରେ ଥିବା ପିଲାମାନେ ପାଠପଢା ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ।ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଏହି ଶିଶୁ ଶ୍ରମିକ ମାନଙ୍କୁ ଖୁବ କମ୍ ପାରିଶ୍ରମିକ ଦେବା ସହିତ ବିଭିନ୍ନ ବିପଦ ଜନକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ଏହି ଶିଶୁ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟି ଦେବା ସହିତ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦାବି ହେଉଛି।