ନୟାଗଡ଼ରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ: ଶ୍ରୀ ଅନ୍ନ ଚାଷ ଓ ପୋଷଣ ସୁରକ୍ଷା ଉପରେ ଗୁରୁତ୍ୱାରୋପ

puja26

ନୟାଗଡ଼: ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ଶ୍ରୀ ଅନ୍ନ ଅଭିଯାନ’ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ତଥା ମୁଖ୍ୟ ଡ. ଅନିଲ କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।

ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବ ବିବିଧତା” ଉପରେ ଆଲୋକପାତ କରି ଅତିଥିମାନେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟର ପୋଷଣଗତ ଗୁଣବତ୍ତା ତଥା ପରିବେଶ ଅନୁକୂଳ ପ୍ରଭାବ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରି କିପରି ଉତ୍ପାଦନ ବୃଦ୍ଧି କରାଯାଇପାରିବ, ସେନେଇ କୃଷକମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ବିଶେଷକରି ମହିଳା ଚାଷୀମାନେ ପାରମ୍ପରିକ ଫସଲ ସଂରକ୍ଷଣ ଓ ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ବୈଠକରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପୁଷ୍ଟିଶସ୍ୟ ଉତ୍ପାଦର ଏକ ଭବ୍ୟ ପ୍ରଦର୍ଶନୀ, ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଏକ ଆକର୍ଷଣୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା; ଯେଉଁଥିରେ ସ୍ଥାନୀୟ ଲୋକଙ୍କ ବେଶ୍ ଭିଡ଼ ଜମିଥିଲା। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ, କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ. ପରେଶ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନୂଆଗାଁ ଗୋଷ୍ଠୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ସମସ୍ତ ଅତିଥି, କୃଷକ ଓ ଭାଗୀଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.