
ପୁରୀ: ରଥ ନିର୍ମାଣର ୨୬ତମ ଦିବସ ସୁଦ୍ଧା ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି ତିନିରଥର ଶେଷ ଗୋଟିଏ ଗୋଟିଏ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ଆଜି ତିନିରଥ ମହାରଣା ସେବକମାନେ ତୁମ୍ବ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେଇଥିଲେ।
ସିଙ୍ଗଡ଼ା କଟିଂ ସହ ଅର ମୁଖ ସାଲ କରି ପଇ ସଂଯୋଗ ପରେ ପଇ କଳସା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ତିନିରଥର ଶେଷ ଚକଗୁଡ଼ିକର ପଇ କଳସା ପରେ ପଇ ବିନ୍ଧରେ କିଳା ବାଡିଆ କାର୍ଯ୍ୟ ଶେଷ ହେବ। ଏଥିସହ ଆଜି ରଥ ଅମିନ ଭୋଇ ସେବକମାନଙ୍କ ସହାୟତାରେ ତିନିରଥ ଚାଳିକୁ ଦୁଇଟି ଲେଖାଏଁ ୪୦ ଫୁଟିଆ ବ୍ରେକ ଅଖ ଏବଂ ତିନି ରଥର ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇଥିଲେ। କାର୍ଯ୍ୟ ଶେଷ ବେଳକୁ ନନ୍ଦିଘୋଷ ରଥର ଦୁଇଟି ବ୍ରେକ୍ ଅଖର ଉଭୟ ପାର୍ଶ୍ବ ଚଉପଟ ସହ ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥ ଏବଂ ଦର୍ପ ଦଳନ ରଥର ବ୍ରେକ୍ ଅଖ ଉଭୟ ପାର୍ଶ୍ବ ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟର ଗୋଲେଇ କାର୍ଯ୍ୟ ଜାରି ରହିଛି। ଆସନ୍ତା କାଲି ତିନି ରଥର ଗରଗରା କାଠର ଚଉପଟ କାର୍ଯ୍ୟ ଆରମ୍ଭ ହେବ।
ରୂପକାର ସେବକମାନେ ତିନିରଥ ସାଲ ଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଆଜି ମୋଟ ୨୦୫ ଜଣ ରଥ ନିର୍ମାଣ ସେବା ଯୋଗାଇ ଦେଇଛନ୍ତି।