
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କାପୁରୁଷତା ଏବଂ ଅମାନବୀୟ ଘଟଣାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଆଜି ସକାଳେ ଏକ ପ୍ରେସର ଆଇଇଡି ବିସ୍ଫୋରଣରେ ତିନି ଜଣ ନିରୀହ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ବିଜାପୁରର ମଧେଢ ଥାନା ଅନ୍ତର୍ଗତ ବାନ୍ଦେପାରା ଗ୍ରାମରେ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଦମ୍ପାୟା ଏରାଗୁଫାର ବାସିନ୍ଦା ଗଟେ ଜୋଗା (ବୟସ ୪୫ ବର୍ଷ), ବିବେକ ଧୋଡି (ବୟସ ୧୭ ବର୍ଷ) ଏବଂ ବଡ଼ଦେ ସୁନୀଲ (ବୟସ ୨୦ ବର୍ଷ), ଆହାତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୮:୩୦ ସମୟରେ, ସେମାନେ କୌଣସି ପାରିବାରିକ କାର୍ଯ୍ୟ ପାଇଁ ଚାଲି ଚାଲି ବାନ୍ଦେପାରା ଗ୍ରାମ ଅଭିମୁଖେ ଯାଉଥିଲେ। ଜଙ୍ଗଲ ଦେଇ ଯାଉଥିବା ସମୟରେ, ମାଓବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ପ୍ରେସର ଆଇଇଡି ସଂସ୍ପର୍ଶରେ ଆସିବାରୁ ଜୋରଦାର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ତିନି ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିଲେ। ତାଙ୍କ ଗୋଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି, ଯାହା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ପରେ ତୁରନ୍ତ ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ପଠାଯାଇଥିଲା। ବିଜାପୁର ଭଳି ଏକ ସମ୍ବେଦନଶୀଳ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଏବେ ବି ଜାରି ରହିଛି ,କିନ୍ତୁ ଯେତେବେଳେ ନିରୀହ ଗ୍ରାମବାସୀ ମଧ୍ୟ ଏହି ହିଂସାର ଶିକାର ହେଉଛନ୍ତି।ଏହା କେବଳ ଆଇନ ଶୃଙ୍ଖଳା ସମସ୍ୟା ନୁହେଁ ବରଂ ଏକ ମାନବୀୟ ସଙ୍କଟ ହୋଇପାରେ। ଆଗାମୀ ଦିନରେ ନିରୀହ ଗ୍ରାମବାସୀଙ୍କ ପାଇଁ ଏପରି ଘଟଣା ପୁନରାବୃତ୍ତି ନହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ସରକାର ଏବଂ ପ୍ରଶାସନ ପାଇଁ ଏକ କଠିନ ଚ୍ୟାଲେଞ୍ଜ ଭଳି ପରିଲକ୍ଷିତ ହେଉଛି।