
ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା ବିଷୟରେ କହିଛନ୍ତି ।
ଆଜି ସକାଳେ ଇତିଶ୍ରୀଙ୍କ ଦୁଇ ଭଉଣୀ ମଞ୍ଜୁଲତା ଦେଓ, ଝରଣା ମହାପାତ୍ର, ଦୁଇ ଝିଆରୀ ଯାଜପୁରରୋଡରେ ପହଞ୍ଚିଛନ୍ତି । ତେବେ ୧୧ ଜଣ ସାଙ୍ଗ ହୋଇ ବୁଲିବାକୁ ଯାଇଥିବାବେଳେ ମାତ୍ର ଆମେ ଆଜି ୪ ଜଣ ନିରାଶ ହୋଇ ଫେରିଛୁ ବୋଲି କହିଛନ୍ତି ଇତିଶ୍ରୀଙ୍କ ଭଉଣୀ ।
ଅନ୍ୟପଟେ, ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍ ବ୍ୟାଗ ମିଳିଛି ।
ସୂଚନାଯୋଗ୍ୟ, ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସହ ୧୧ଜଣ ସଦସ୍ୟ ସିକ୍କିମ୍ ବୁଲିବାକୁ ଯାଇଥିଲେ । ହେଲେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ତିସ୍ତା ନଦୀକୁ ଖସିପଡ଼ିଥିଲା ବସ୍ । ଇତିଶ୍ରୀଙ୍କ ସହ ଏବେ ବି ୬ ଜଣ ନିଖୋଜ ଅଛନ୍ତି ।