ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ ରୋଗୀଙ୍କ ମୃତ୍ୟୁ: ଡିଏମଇଟି ପକ୍ଷରୁ ୫ ଜଣିଆ ଟିମ୍ ଗଠିତ, ଆସନ୍ତାକାଲି ରିପୋର୍ଟ ଦେବେ

add-all

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଏଥିଲାଗି ୫ ଜଣିଆ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁରର ଏମକେସିଜିରୁ ୩ ଓ କଟକର ଏସସିବିରୁ୨ ଜଣିଆ ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯାଇ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ଜଣାଯାଇଛି । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦିଆଯାଇଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିଛି ରହିଛି କି ନା ସ୍ବାଭାବିକ ମୃତ୍ୟୁ ଘଟିଛି, ସେନେଇ ଟିକିନିଖି ତଦନ୍ତ କରିବ ଟିମ୍ । ଖାଲି ସେତିକି ନୁହେଁ, ରୋଗୀଙ୍କୁ ଦିଆଯାଇଥିବା ଔଷଧଗୁଡ଼ିକର ମାନ ଯାଞ୍ଚ ବି କରାଯିବ ।
ସୂଚନାଯୋଗ୍ୟ, କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଗତକାଲି ରାତିରେ ଅଳ୍ପ ସମୟ ମଧ୍ୟରେ ୫ଜଣ ରୋଗୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ଟାରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀ ତିନି ଜଣଂକ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡରେ ଥିବା ଭଗବାନ ପରିଜା ଓ ବତୀ ଖରା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପକ୍ଷରୁ ପୁଲିସ ମୁତୟନ କରା ଯାଇଥିଲା।
ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ। ରାତ୍ରୀକାଳୀନ ଦାୟିତ୍ଵରେ ଥିବା କର୍ମଚାରୀ ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଭୁଲ ଇଞ୍ଜେକ୍ସନ ଦେଇ ଦେବାରୁ ଏପରି ହୋଇଛି। କିନ୍ତୁ ବେଡରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳି ପାରିନାହିଁ। ତେବେ ଅଳ୍ପ ସମୟ ଭିତରେ ରାତି ରାଉଣ୍ଡର ଶେଷ ଡୋଜରେ ଆଇସିୟୁରେ ତିନି ଏବଂ ବେଡରେ ଦୁଇ ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଉଥିବାରୁ ଶବ ଜବତ କରିଥିଲା ଟାଉନ୍ ପୁଲିସ।

ad-week
Leave A Reply

Your email address will not be published.