
ବ୍ରହ୍ମପୁର -: ସହାୟତା ନାଁରେ ସଜ୍ଜା,ସାହାର୍ଯ୍ୟ କରିବା କହି ବୃଦ୍ଧାଙ୍କଠାରୁ ଲୁଟି ନେଲା ଅଢ଼େଇ ଲକ୍ଷରର ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡ଼ିକାଲ ପରିସରରେ । ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ନିବାସୀ ଜୁରିଆ ସାହୁ ଏବଂ ତାଙ୍କ ପତ୍ନୀ ଶଶୀ ସାହୁ ବ୍ରହ୍ମପୁର ନିକଟସ୍ଥ ଲାଠୀ ଗ୍ରାମକୁ ନିଜ ଝିଅ ଘରକୁ ବୁଲିବାକୁ ଆସିଥିଲେ । ତେବେ ଶଶୀ ସାହୁଙ୍କ ଗଳାରେ କିଛି ସମସ୍ୟା ରହିଥିବାରୁ ସେମାନେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ସୋମବାର ପୂର୍ବାହ୍ନ ୧୧ଟା ସମୟରେ ସେ ଏମ୍କେସିଜି ବର୍ହିଃ ବିଭାଗରେ ଚିକିତ୍ସା କରାଇବା ନିମନ୍ତେ ନାଶା ଓ ଗଳା ବିଭାଗରେ ଡ଼ାକ୍ତରଙ୍କୁ ଦେଖାଇଥିଲେ । ତେବେ ଡ଼ାକ୍ତର କିଛି ଔଷଧ ଓ ପରୀକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ସମୟରେ ବୃଦ୍ଧା ଦମ୍ପତୀ କେଉଁ ସ୍ଥାନରେ ପରୀକ୍ଷା ହେବ ଓ ଔଷଧ କେଉଁ ସ୍ଥାନରେ ମିଳିବ ସେ ନେଇ ଜାଣିପାରୁନଥିବା ବେଳେ ଜଣେ ଦୁର୍ବୃତ ତାଙ୍କୁ ସାହାଯ୍ୟ କରିବା ବାହାନାରେ ବୃଦ୍ଧା ପିନ୍ଧିଥିବା ସୁନା ଗହଣ ଉପରେ ନଜର ପକାଇଥିଲେ ଓ ତାଙ୍କୁ ଏହି ସ୍ଥାନରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଏମ୍କେସିଜି ମେଡ଼ିକାଲର ନିଦାନ କେନ୍ଦ୍ର ନିକଟକୁ ନେଇଥିଲେ । ସେଠାରେ ବୃଦ୍ଧା ଶଶୀ ସାହୁଙ୍କ ବେକରେ ଥିବା ସୁନାପତ୍ରିମାଳି ଓ କାନଫୁଲ,ଝିକାକୁ ଜରଜବରଦସ୍ତ ବାହାର କରି ଚମ୍ପଟ ମାରିଥିଲା । ଲୁଟ ହୋଇଥିବା ସୁନାଗହଣା ଓଜନ ପ୍ରାୟ ୨୬ ଗ୍ରାମରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏନେଇ ଜୁରିଆ ସାହୁ ଏବଂ ତାଙ୍କ ପତ୍ନୀ ଶଶୀ ସାହୁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ତେବେ ସରଳ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ କରିବା ବାହାନାରେ ଏଭଳି ଲୁଟ ଘଟଣା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି ।