ଗୋପାଳପୁର ଗଣଦୁଷ୍କର୍ମ ମାମଲା: କଂଗ୍ରେସ ଗଢ଼ିଲା ୫ ଜଣିଆ ଟିମ୍

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମି ନିକଟରେ ଗତ ରବିବାର ଦିନ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। ଏହି ମାମଲାକୁ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି। ଜାତୀୟସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମିନାକ୍ଷୀ ବାହିନୀପତି ସାମ୍ବାଦିକ ସମ୍ବିଳନୀ କରିବା ପରେ ଏବେ ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ୫ ଜଣିଆ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ, ଯେଉଁଥିରେ ଦୀପା ଦାଶମୁନସୀଙ୍କୁ ଆବାହକ ଭାବେ ରଖାଯାଇଥିବାବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ, ସାଂସଦ ଏସ୍ ଜ୍ୟୋତିମଣି ଏବଂ ଶୋଭା ଓଝା ସଦସ୍ୟ ଭାବେ ଟିମ୍‌ରେ ରହିଛନ୍ତି। ଏହି ଟିମ୍ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି ।
ଏହାପୂର୍ବରୁ ଗୁରୁବାର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପର ବର୍ଷିଛନ୍ତି। ସିଧା ସିଧା ପେପର ଦେଖାଇ ସୋଫିଆ ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି। ଦିନକୁ ଦିନ ରାଜ୍ୟରେ ଆଇନଶ଼ଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି କହି ମୋହନ ସରକାରକୁ ତୀର ମାରିଛନ୍ତି ସୋଫିଆ।
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ କିଭଳି ଉଦ୍ୟମ କରିଥଇଲେ ତାହା ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ଗର୍ଭ ନିରୋଧକ ସାମଗ୍ରୀ ବ୍ୟବହାର କରିଥିଲେ ବୋଲି ଏମକେସିଜି ମେଡିକାଲ କଲେଜର ଡାକ୍ତର ସୁଦୀପା ଦାସ ତଥ୍ୟ ଦେଇଛନ୍ତି, ଯିଏକି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିଲେ।
ବର୍ତ୍ତମାନ ଏହି ମାମଲା ନେଇ କ୍ରାଇମବ୍ରାଞ୍ଚର ଛାନଭିନ୍ ଜାରି ରଖିଛି। ସେଦିନର ଘଟଣା ପାଇଁ ତଦନ୍ତକାରୀ ସଂସ୍ଥା ସାକ୍ଷୀ ସଂଗ୍ରହ କରୁଛି। ସେପଟେ ୧୦ ଜଣ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ୍ ନେଇଛି ସିଏଡବ୍ଲ୍ୟୁ। ସୂଚନା ମିଳିଛି ଯେ, ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲ୍ୟୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ। ଆଉ ଏହାପରେ ନାବାଳିକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରାଯିବ। ବର୍ତ୍ତମାନ ଅଭିଯୋଗକାରିଣୀଙ୍କ ଅଡିଓ ଏବଂ ଭିଡିଓ ବୟାନ ରେକର୍ଡ କରାଯାଇଛି। ଏହାସହ ସମସ୍ତ ଅଭିଯୁ୍କ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ସେଠାରେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ। ଆଉ ଏହାପରେ ସେଠାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ପୁଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜାତୀୟ ମହିଳା ଆୟୋଗ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତ ରିପୋର୍ଟ ମାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.