
ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କେ.ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ଗ୍ରାମରେ ଜଣେ ପୁଅ ପ୍ଲାଷ୍ଟିକ ପାଇପରେ ପିଟି ପିଟି ନିଜ ଜନ୍ମକଲା ମା’କୁ ହତ୍ୟା କରିଛି। ଏହି ନୃଶଂସ କାଣ୍ଡ ଘଟାଇବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, କରବାଲୁଆ ଗ୍ରାମର ସନ୍ତୋଷ କୁମାର ବେହେରା (୪୦) ଆଜି ମଧ୍ୟାହ୍ନରେ ଘରକୁ ଫେରି ମା’ ଉଲି ବେହେରା (୬୫)ଙ୍କୁ ଖାଇବାକୁ ମାଗିଥିଲେ। କୌଣସି କାରଣକୁ ନେଇ ସେହି ସମୟରେ ମା’ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସନ୍ତୋଷ ଘର ନିକଟରେ ଥିବା ପାନୀୟ ଜଳ ପାଇପ୍ଲାଇନ୍ରୁ ଏକ ପ୍ଲାଷ୍ଟିକ ପାଇପ୍ ତାଡ଼ି ଆଣିଥିଲା। ମା’ ଉଲି ଖାଇବା ବାଢୁଥିବା ସମୟରେ ହିଁ ସନ୍ତୋଷ ତାଙ୍କ ଉପରକୁ ନିର୍ମମ ଭାବେ ଆକ୍ରମଣ କରିଥିଲା।
ପାଇପ ମାଡ଼ରେ ଉଲି ବେହେରା ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ କିଛି ଲୋକ ମୃତଦେହକୁ ଗାଁକୁ ଫେରାଇ ଆଣି ଶ୍ମଶାନରେ ଦାହ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ପୋଲିସ ଠିକ୍ ସମୟରେ ପହଞ୍ଚିଥିଲା।
ଖବର ପାଇ ଚିକିଟୀ ଏସ୍ଡିପିଓ ଶ୍ରୀ ବିଶ୍ୱାମିତ୍ର ହରିପାଲ ଏବଂ କେ.ନୂଆଗାଁ ଥାନା ଅଧିକାରୀ ଶ୍ରୀ କିଶୋର କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଭିଯୁକ୍ତ ପୁଅ ସନ୍ତୋଷକୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।