କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା,  ଜଳ ରାଶିରେ ଗଲେ ମହାପ୍ରଭୁ

youtube

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ ଭକ୍ତଙ୍କ ଭାବନାରେ ବିହ୍ବଳ ହୋଇ ମହାପ୍ରଭୁ ବଡ଼ ଦେଉଳରୁ ବାହାରି ଆସିଥାନ୍ତି ବଡ଼ ଦାଣ୍ଡକୁ । କେବଳ ନିଜ ଭକ୍ତଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ସହ ବିଶ୍ୱର ଅନେକ ସ୍ଥାନ । ତେବେ ଚିଲିକା ମଧ୍ୟରେ ଥିବା ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ସ୍ଥିତ ନୀଳ ଜଳ ରାଶିରେ ହୋଇଛି ନିଆରା ରଥଯାତ୍ରା ।

ବାଜୁଛି ମୃଦଙ୍ଗ ସହ ଘଣ୍ଟ । କାହାଳୀ ଶବ୍ଦରେ ପ୍ରକମ୍ପିତ ହେଉଛି ଚିଲିକା ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ କହି ତିନି ଠାକୁରଙ୍କୁ ପହଣ୍ଡି ବିଜେରେ ନିଆଯାଉଛି ସୁସଜ୍ଜିତ ନୌକାରେ ତିଆରି ରଥକୁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀସ୍ଥିତ ଚିଲିକା ନୀଳ ଜଳ ରାଶି ମଧ୍ୟରେ ଥିବା କାଙ୍କଣ ଶିଖରୀ କୁଦରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ନୌକାରେ ପ୍ରସ୍ତୁତ ରଥରେ ତିନି ଠାକୁର ରଥାରୁଢ଼ ହୋଇ କାଙ୍କଣ ଶିଖରୀ କୁଦରେ ଚତୁପାର୍ଶ୍ବ ପରିକ୍ରମା କରି ରଥଯାତ୍ରା ଅନୁଷ୍ଠିତ ହୁଏ । ସମଗ୍ର  ବିଶ୍ୱରେ ସ୍ଥଳ ପଥରେ ରଥ ଯାତ୍ରା ହେଉଥିବା ବେଳେ କାଙ୍କଣ ଶିଖରୀରେ ଚିଲିକାର ନୀଳ ଜଳରାଶିରେ ରଥଯାତ୍ରା ଅନୁଷ୍ଠିତ ହେଉଅଛି । ୧୭୩୧ ରେ ମୁସଲିମ ଶାସକ ତକି ଖାଁ ଶ୍ରୀମନ୍ଦିରକୁ ଅକ୍ରମଣ କରିଥିଲା । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ କାଙ୍କଣ ଶିଖରୀରେ ଗୁପ୍ତ ଭାବରେ ଲୁଚାଇ ରଖିଥିଲେ ।

ମହାପ୍ରଭୁଙ୍କୁ କାଙ୍କଣ  କୁଦା ଏବଂ ଘଞ୍ଚ ଜଙ୍ଗଲ ପରିବେଶ ମଧ୍ୟରେ ପରିବେଷ୍ଟିତ ସ୍ଥାନରେ ଗୁପ୍ତ ଭାବରେ ରଖିଥିଲେ । ଏହି ସ୍ଥାନରେ କେବଳ କାଙ୍କଣ ଫଳ ଫଳୁଥିଲା ଯାହା ଫଳରେ ପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଭାବରେ ଲାଗି ହେଉଥିଲା । ସେହି ଦିନ ଠାରୁ ଏହି କୁଦର ନାମ କାଙ୍କଣ ଶିଖରୀ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଛି ।

ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କର ରୀତିନୀତି ଏଠାରେ କାହିଁ କେଉଁ ଅନାଦି କାଳରୁ ହୋଇଆସୁଛି । ତେବେ ରଥ ଯାତ୍ରା ଅବସରରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ରଥ ଯାତ୍ରା ଜଳରାଶି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ପହଣ୍ଡି ପରେ ଡଙ୍ଗା ନିର୍ମିତ ସୁସଜ୍ଜିତ ରଥରେ ତିନି ଠାକୁର ଜଳରାଶିରେ କୁଦ ଚତୁଃପାର୍ଶ୍ୱରେ ପରିକ୍ରମା କରିଥିଲେ । ଦ୍ବୀପ ପରିକ୍ରମା କରିବା ପରେ  ଶ୍ରୀଜିଉଙ୍କୁ ପହଣ୍ଡି  କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରରେ ବିଜେ କରାଯାଇଥିଲା ।

ଏହି ନିଆରା ରଥଯାତ୍ରା ଦେଖିବା ପାଇଁ କାଙ୍କଣ ଶିଖରୀରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିଲା । ଭକ୍ତ ମାନଙ୍କୁ ନଈରୀ ଘାଟ ଠାରୁ କାଙ୍କଣ ଶିଖରୀକୁ ନେବା ପାଇଁ  ନିଃଶୁଳ୍କ ଡଙ୍ଗା ବ୍ୟବସ୍ତା କରାଯାଇଛି । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହା ସହ ଭକ୍ତମାନଙ୍କ ପାଇଁ କାଙ୍କଣ ଶିଖରୀ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନର ବନ୍ଦୋବସ୍ତ କରା ଯାଇଥିଲା।

Leave A Reply

Your email address will not be published.