
ଘରୋଇ ପୁଞ୍ଜିନିବେଶରେ ଓଡ଼ିଶା ଶୀର୍ଷରେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି-ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି । ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ । ଏପ୍ରିଲରୁ ଜୁନ ତ୍ରୟମାସରେ ସାରା ଦେଶରେ ଘରୋଇ କ୍ଷେତ୍ରରେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଯାହା ଗତ ଆର୍ଥିକ ବର୍ଷର ଏହି ଅବଧିର ୧.୪ ଲକ୍ଷ କୋଟି ତୁଳନାରେ ଦ୍ବିଗୁଣିତ । ଏହି ନିବେଶର ୮୫.୭ ପ୍ରତିଶତ ଶୀର୍ଷ ୫ଟି ରାଜ୍ୟରେ ହୋଇଛି । ଯେଉଁଥିରେ ଓଡ଼ିଶା ଶୀର୍ଷରେ ରହିଛି । ଓଡ଼ିଶା ପରେ ଆନ୍ଧ୍ରରେ ୪୭ହଜାର ୧୧୦ ଦଶମିକ ୭ କୋଟି ଓ ହରିୟାଣାରେ ୪୫ହଜାର ୯୩୦ କୋଟି ଟଙ୍କାର ନିବେଶ ହୋଇଛି ।
ଓଡ଼ିଶାରେ ଧାତବ ଓ ଧାତବ ଉତ୍ପାଦ କ୍ଷେତ୍ରରେ ୧.୪ ଲକ୍ଷ କୋଟି, ବିଜୁଳି କ୍ଷେତ୍ରରେ ୬୩, ୨୦୬ କୋଟି ଓ ପରିବହନ କ୍ଷେତ୍ରରେ ୪୪, ୮୯୩ କୋଟି ଟଙ୍କାର ନିବେଶ ହୋଇଛି । ଏପ୍ରିଲ-ମେ ଅବଧିରେ ସରକାରୀ ପୁଞ୍ଜି ଖର୍ଚ୍ଚ ୫୪ ପ୍ରତିଶତ ବୃଦ୍ଧି ପାଇଁ ୨.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ତ୍ରୟମାସରେ ୩୨୪ଟି ନୂଆ ଘରୋଇ ପ୍ରକଳ୍ପ ଘୋଷଣା ହୋଇଛି । ଓଡ଼ିଶା ସରକାରଙ୍କ ନୀତିଗତ ପଦକ୍ଷେପ ଉନ୍ନତି ବାଣିଜ୍ୟିକ ପରିବେଶ ଓ ଭିତ୍ତିଭୂମି ଉନ୍ନୟନ ଯୋଗୁ ରାଜ୍ୟ ନିବେଶକଙ୍କ ପାଇଁ ପସନ୍ଦର ପାଲଟିଛି । ରାଜ୍ୟକୁ ନିବେଶରେ ଟପ-୩ରେ ରଖିବା ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।