‘ଛୋଟ ବଡ କିଛି ନାହିଁ, ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା’

youtube

ଭୁବନେଶ୍ବର: ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଆଜି ଆଶ୍ବସ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଛୋଟ ଜମାକାରୀ, ବଡ ଜମାକାରୀ କିଛି ନାହିଁ, ଯାହାଙ୍କ ପାଖରେ ଜମା କରିବାର ଛୋଟ ପ୍ରମାଣଟିଏ ବି ଥିବ ତାଙ୍କୁ ଟଙ୍କା ଫେରାଇ ଦିଆଯିବ । ଏନେଇ ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ମନମୋହନ ।

ମନମୋହନ କହିଛନ୍ତି, କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ୍‌ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ । ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ଆଉ ୩/୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନମୋହନ । ଏନେଇ ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା; ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦେବୁ ବୋଲି ମନମୋହନ କହିଛନ୍ତି ।

ତେବେ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଶ୍ବସ୍ତି ଦେଇଥିଲେ । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ରୁ ୪ ମାସ ଭିତରେ ଚିଟ୍‌ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ।

ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ୧,୨୬,୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି । ୨୦୧୪ରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍‌ଫଣ୍ଡ ସଂସ୍ଥା ପ୍ରାୟ ୬ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୦୯ରୁ ୨୦୧୪ ମସିହା ଭିତରେ ଚିଟ୍‌ଫଣ୍ଡ୍‌ ମହାଘୋଟାଲା ହୋଇଥିଲା । ଏଥିରେ ୪ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ମହାଠକେଇ ହୋଇଛି । ୧୬୩ଟି ଚିଟ୍‌ଫଣ୍ଡ୍‌ ସଂସ୍ଥା ପ୍ରାୟ ୭ଲକ୍ଷ ୫୦ ହଜାର ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟିଛନ୍ତି ।
ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ତାଙ୍କ ଝାଳବୁହା ଟଙ୍କା ହରାଇଛନ୍ତି ।

ସେପଟେ ଚିଟ୍‌ଫଣ୍ଡ୍‌ ଟଙ୍କା ଫେରାଇବାକୁ ଅନେକ ବର୍ଷ ଧରି ଦାବି କରୁଛନ୍ତି କ୍ଷତିଗ୍ରସ୍ତ ମିଳିତ ମଞ୍ଚ । କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ ଜଷ୍ଟିସ ଏମ୍‌ଏମ୍‌ ଦାସ କମିସନ୍‌ ଗଠନ କରିଥିଲେ ତତ୍କାଳୀନ ସରକାର । ଏହି କମିସନ୍ ୧୦ ହଜାରରୁ କମ୍‌ ସ୍ୱଳ୍ପ ଜମାକାରୀଙ୍କୁ ଚିହ୍ନଟ ପାଇଁ ଗଠନ ହୋଇଥିଲା । ୨୦୨୦ ଫେବ୍ରୁଆରି ୪ରୁ ଜଷ୍ଟିସ୍‌ ଏମ୍‌ଏମ୍‌ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ସରିଥିଲା । ଏହାପରେ ଗଠନ ହୋଇଥିଲା ଆର୍‌କେ ପାତ୍ର କମିସନ୍‌ । ଏଥିସହିତ ଗଠନ ହୋଇଛି ଓପିଆଇଡି କୋର୍ଟ । ହେଲେ କିଛି ଲାଭ ମିଳିନଥିଲା । କିଛି ପାଇଥିବା ବେଳେ ଅନେକ କ୍ଷୁଦ୍ର ଜମାକାରୀ ଏବେ ବି ନିଜ ଟଙ୍କା ଆଶାରେ ଚାହିଁ ବସିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ସରକାର ଚିଟ୍‌ଫଣ୍ଡ୍‌ ଟଙ୍କା ଫେରାଉଛନ୍ତି । ଯାହା ନିର୍ବାଚନ ବେଳେ ସରକାରଙ୍କ ପ୍ରତିଶ୍ରୁତିରେ ସ୍ଥାନ ପାଇଥିଲା ।

Leave A Reply

Your email address will not be published.