
ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା । ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି । ଅଲିଭ ରିଡଲେ କଇଁଛ, ଇରାଓ୍ୱାଡି ଡଲଫିନ ଏବଂ ଚିଲିକା ଆସୁଥିବା ପକ୍ଷୀଙ୍କ ସୁରକ୍ଷା ଲାଗି ଅନୁମୋଦନକୁ ସ୍ଥଗିତ କରାଯାଇଛି ।
ଫରେଷ୍ଟ ଆଡଭାଇଜରୀ କମିଟି ଓଡ଼ିଶା ସରକାରଙ୍କୁ ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି । ଏହାସହ ଏ ପ୍ରସଙ୍ଗରେ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାଠାରୁ ମତାମତ ନେବାକୁ କହିଛି । ଗତ ଜୁନ ୨୪ ବୈଠକରେ, FAC ସିପସରୁବାଲି ନିକଟରେ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବ୍ୟବହାର ଲାଗି ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ଥଗିତ ରଖିଛି ।
ଏଫଏସି କହିଛି, ପୁରୀ ଉପକୂଳରେ ଅଲିଭ ରିଡଲେ କଇଁଛ, ଇରାଓ୍ୱାଡି ଡଲଫିନ ଏବଂ ଚିଲିକା ହ୍ରଦକୁ ଆସୁଥିବା ପକ୍ଷୀମାନଙ୍କ ପ୍ରତି ଥିବା ବିପଦ ଏବଂ ସଂରକ୍ଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର WIIର ମତାମତ ଏବଂ ସୁପାରିସ ନେଉ । ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ମୋଟ ୫,୬୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ପାଇଁ ମୋଟ ୪୭୧.୪୦୧ ହେକ୍ଟର ଜମି ଆବଶ୍ୟକ ।
ଯେଉଁଥିରୁ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ରହିଛି । ଏହା ସହିତ, ୧୩,୫୦୪ଟି ଗଛ କଟାଯିବାର ପ୍ରସ୍ତାବ ରହିଛି । ଏହି ଗଛଗୁଡ଼ିକ ପୁରୀ ଉପକୂଳକୁ ବାତ୍ୟାରୁ ରକ୍ଷା କରେ । ବିମାନବନ୍ଦର ପାଇଁ ଗତ ମେ ମାସ ୫ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଥିଲା । ଏବେ FAC ଜଙ୍ଗଲ ଜମି ବ୍ୟବହାରର ଅନୁମୋଦନକୁ ସ୍ଥଗିତ ରଖିଛି ।