ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଲେ ବଳଭଦ୍ର ଓ ଦେବୀ ସୁଭଦ୍ରା, ପୋଡ଼ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାପ୍ରଭୁ

youtube

ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜିଉମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ଆଗି ସିଂହଦ୍ବାରକୁ ଆସୁଛନ୍ତି। ସର୍ବ ପ୍ରଥମେ ପ୍ରଭୁ ବଳଭଦ୍ର ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଏହା ପରେ ଭଉଣୀ ସୁଭଦ୍ରା ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଅଳ୍ପ ସମୟ ମଧ୍ୟରେ ସିଂହଦ୍ବାର ସାମ୍ନାରେ ପହଞ୍ଚିବେ ଜଗତର ନାଥ ଜଗନ୍ନାଥ। ଶ୍ରଦ୍ଧାର ବଡ଼ଦାଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଟାଣିଟାଣ ଆଣୁଛନ୍ତି।

ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ଙ୍କ ହାତ ପ୍ରସ୍ତୁତ ପୋଡପିଠା ଖାଇଛନ୍ତି। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଥିଲା। ତିନିରଥ ମାଉସୀ ମା’ଙ୍କ ମନ୍ଦିର ଦେଇ ଯିବା ବେଳେ ତିନି ମାଟିହାଣ୍ଡିରେ ପୋଡ଼ପିଠା ସମର୍ପଣ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଥିଲା। ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ପୁନର୍ବାର ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଆଗକୁ ବଢ଼ିଛନ୍ତି।

ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସୁଛନ୍ତି। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିଛନ୍ତି। ଏଥି ପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ପାଲଟିଛି। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହୋଇଛି।

ଆଡ଼ପ ମଣ୍ଡପରେ ନବମୀ ଅବସରରେ ଶୁକ୍ରବାର ଦିନସାରା ଶ୍ରୀଜିଉମାନଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ମୁଣ୍ଡିଆ ମାରି ମନର କଥା କହିଥିଲେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।

ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୩ଟାରେ ରଥଟଣା ଆରମ୍ଭ ହୋଇଛି। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟ‌ାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍‌ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।

Leave A Reply

Your email address will not be published.