ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଶ୍ରୀରେ ଝଲସୁଛି ବଡ଼ଦାଣ୍ଡ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

youtube

ପୁରୀ: ଆଷାଢ଼ ଶୁକ୍ଳ ଏକାଦଶୀର ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ଏକ ମହାସାଗରରେ ପରିଣତ ହୋଇଛି। ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ, ମହାପ୍ରଭୁଙ୍କ ଦୁର୍ଲଭ “ସୁନାବେଶ” ବା “ବଡ଼ ତଢ଼ାଉ ବେଶ” ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ତିନି ରଥ ଉପରେ ବିରାଜମାନ ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି। ଏହି ଅପୂର୍ବ ଦୃଶ୍ୟ ଦେଖି ଭକ୍ତମାନେ ଭାବବିହ୍ଵଳ ହୋଇପଡ଼ିଛନ୍ତି ।
ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ମିନିଟରୁ ମହାପ୍ରଭୁଙ୍କ ଏହି ଭବ୍ୟ ସୁନାବେଶ ଆରମ୍ଭ ହୋଇଥିଲା। ସେବାୟତମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ କଡ଼ା ସୁରକ୍ଷା ମଧ୍ୟରେ ସୁନା ଅଳଙ୍କାର ଆଣି ଶ୍ରୀଜିଉମାନଙ୍କୁ ସଜାଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ସୁବର୍ଣ୍ଣ କିରୀଟ (ମସ୍ତକ), ଶ୍ରୀହସ୍ତ, ଶ୍ରୀପୟର, ସୁବର୍ଣ୍ଣ ଚକ୍ର ଓ ଗଦା ଧାରଣ କରିଛନ୍ତି। ବଡ଼ ଠାକୁର ଶ୍ରୀବଳଭଦ୍ର ସୁବର୍ଣ୍ଣ କିରୀଟ, ଶ୍ରୀହସ୍ତ, ଶ୍ରୀପୟର ସହିତ ସୁନାର ହଳ ଓ ମୂଷଳରେ ସୁସଜ୍ଜିତ ହୋଇଛନ୍ତି। ମା’ ସୁଭଦ୍ରା ସୁବର୍ଣ୍ଣ କିରୀଟ ଏବଂ ଅନ୍ୟାନ୍ୟ ସୁନ୍ଦର ଅଳଙ୍କାରରେ ଭୂଷିତ ହୋଇଛନ୍ତି। ମୋଟ ଉପରେ ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାରର ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି, ଯାହାର ଓଜନ ପ୍ରାୟ ୨୦୮ କିଲୋଗ୍ରାମ୍। ରବିବାର ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ।
ସୁନାବେଶର ଐତିହାସିକ କାହାଣୀ
ଏହି ପରମ୍ପରାର ଇତିହାସ ବେଶ୍ ପୁରୁଣା ଓ ଗୌରବମୟ। ଐତିହାସିକ ମତାନୁସାରେ, ପଞ୍ଚଦଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ଆରମ୍ଭ ହୋଇଥିଲା। ୧୪୬୦ ମସିହାରେ ମହାରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ବିଜୟ କରି ବିପୁଳ ସୁନା, ରୁପା ଓ ହୀରା ଅଳଙ୍କାର ସହ ଫେରିଥିଲେ। ସେ ନିଜକୁ କେବଳ ମହାପ୍ରଭୁଙ୍କର ଜଣେ ସାମାନ୍ୟ ସେବକ ମନେକରି ସମସ୍ତ ବିଜୟଲବ୍ଧ ଧନରତ୍ନ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। ସେହି ଅମୂଲ୍ୟ ଅଳଙ୍କାରରେ ତିନି ଠାକୁରଙ୍କୁ ରଥ ଉପରେ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ସେ ଆରମ୍ଭ କରିଥିଲେ। ସେହି ଦିନଠାରୁ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଏହି ବେଶ ଅନୁଷ୍ଠିତ ହୋଇଆସୁଛି।
ଚଳିତବର୍ଷ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି। ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକ ଗଳିକୁ ସିଲ୍ କରିଦିଆଯାଇଛି। ପାସ୍‌ଧାରୀଙ୍କ ଗାଡ଼ିକୁ ମଧ୍ୟ ସହର ଭିତରକୁ ଛଡ଼ାଯାଉ ନାହିଁ। କେତେକ ସ୍ଥାନରେ ଏହାକୁ ନେଇ ବିବାଦ ଦେଖାଦେବାରୁ ସହରବାସୀଙ୍କୁ ଗାଡ଼ି ନ ବାହାର କରିବାକୁ ପୋଲିସ ନିବେଦନ କରିଛି।
ଚନ୍ଦନପୁରରୁ ପୁରୀ ପର୍ଯ୍ୟନ୍ତ ଭୟଙ୍କର ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦନପୁରରୁ ସାକ୍ଷୀଗୋପାଳ ପହଞ୍ଚିବାକୁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ପ୍ରଶାସନ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ପାର୍କିଂ ସ୍ଥଳ ଭର୍ତ୍ତି ହୋଇଯାଇଥିବାରୁ ମାଳତୀପାଟପୁରଠାରୁ କୌଣସି ଗାଡ଼ିକୁ ସହର ଭିତରକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ।
ରଥ ନିକଟରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି, ଯାହାକୁ ନେଇ କିଛି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। ତଥାପି, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କର ଏହି ସୁବର୍ଣ୍ଣ ରୂପ ଦେଖିବା ପାଇଁ ସବୁ କଷ୍ଟକୁ ଭୁଲି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି। ଏହି ଦିବ୍ୟ ଦୃଶ୍ୟ ଭକ୍ତଙ୍କ ମନରେ ଆଧ୍ୟାତ୍ମିକତାର ଏକ ଅପୂର୍ବ ଅନୁଭୂତି ସୃଷ୍ଟି କରିଛି।

Leave A Reply

Your email address will not be published.