୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ

ଯାଜପୁର : ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ ଧରାପଡ଼ିଲେ ।  ବକେୟା ବିଲ୍ ପାସ୍ କରିବା ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ।  ତାଙ୍କ ସହ ଜଣେ ବ୍ୟକ୍ତିଗତ ସହଯୋଗୀ ସୋମନାଥ ସେଠୀଙ୍କୁ ମଧ୍ୟ ଓଡ଼ିଶା ଭିଜିଲାନ୍ସ ଧରିଛି । ଭିଜିଲାନ୍ସ ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅଞ୍ଚଳରେ ଏକ ସ୍କୁଲର ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିବା ଜଣେ ଠିକା କାର୍ଯ୍ୟ ନିର୍ବାହକ ତାଙ୍କ ବକେୟା ବିଲ୍ ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହି ଟଙ୍କା ଛାଡ଼ କରିବା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।

ବାରମ୍ବାର ହଇରାଣ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ।  ସୋମବାର ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ନେଉଥିବାବେଳେ ବନ୍ଦିତା ଦାଶ ଓ ସୋମନାଥ ସେଠୀଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ଦେଇଛି। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ୩୫ ହଜାର ଟଙ୍କା ଜବତ କରାଯାଇଛି । ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦିଗକୁ ନେଇ ବନ୍ଦିତା ଦାଶଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ଯାଞ୍ଚ ଚାଲିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୩୮, ତାରିଖ ୨୭ ସେପ୍ଟେମ୍ବର ୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି। ଉଭୟଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.