
ଆଠଗଡ : ପବିତ୍ର ବଡ ଏକାଦଶୀ ତିଥିରେ ରଥାରୂଢ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଏବଂ ଜଗନ୍ନାଥ ବଲ୍ଲଭ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ରଥ ଉପରେ ଶ୍ରୀ ଜୀଉଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରିବା ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସନ୍ଧ୍ୟା ଆଳତି କରିବା ପରେ ସର୍ବସାଧାରଣ ଦର୍ଶନ କରି ବିଭୋର ହୋଇଯାଇଥିଲେ। ସନ୍ଧ୍ୟା ପୂର୍ବରୁ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟଙ୍କ ଉପସ୍ଥିତିରେ ଆଠଗଡ ଉପକୋଷାଗାରରୁ ଶ୍ରୀ ଜୀଉଙ୍କ ସୁନା ଅଳଙ୍କାର ସବୁ କଡା ପୁଲିସ ସୁରକ୍ଷା ବଳୟ ମଧ୍ଯରେ ଆସିଥିଲା । ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ୬୬୧.୭୫୦ ଗ୍ରାମ ଏବଂ ଜଗନ୍ନାଥ ବଲ୍ଲଭ ମଠର ତିନି ଠାକୁରଙ୍କୁ ୫୩୧.୫୨୫ ଗ୍ରାମର ସୁନା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ରାଜପୁରୋହିତ ଶ୍ରୀ ମିଶ୍ର ସମେତ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ ପଣ୍ଡା, ଗୌତମ ପଣ୍ଡା ଏବଂ ଅନ୍ଯ ସେବାୟତ ସମ୍ପନ୍ନ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ପରେ ରାତି ପ୍ରାୟ ୧୦ ବେଳେ ସମସ୍ତ ଅଳଙ୍କାର ପୁନର୍ବାର ପୁଲିସ ସୁରକ୍ଷା ମଧ୍ଯରେ ଉପକୋଷାଗାରକୁ ନିଆଯାଇଥିଲା । ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ସୁନାବେଶ କାର୍ଯ୍ୟକ୍ରମକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ଯ କର୍ମଚାରୀ ପରିଚାଳନା କରିଥିଲେ । ଏସଡିପିଓ ବିଶ୍ଵଜିତ ମହାନ୍ତି ଓ ଆଇଆଇସି ସୁମତି ମହାନ୍ତିଙ୍କ ନେତୃତ୍ବରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ।