ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

youtube

ଭଞ୍ଜନଗର: ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା । ଯେମିତି କୋକେଇ ଉଠିଲେ ବିଧାନ କରାଯାଏ । ଠିକ ସେମିତି ସମସ୍ତ କର୍ମ କରାଯାଇଛି । ଆଉ ଶବ ପୋତା ଯାଇଥିବା ସ୍ଥାନରେ ରଖାଯାଇଥିଲା ପଥର । ଦର୍ଶକ ବନ୍ଧୁ ଏଭଳି ଏକ ରହସ୍ୟଜନକ ଘଟଣା ଏବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଖବର ଯାଇ ପହଞ୍ଚିଲା ପୋଲିସ ପାଖରେ । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସେହି ଜଙ୍ଗଲରେ ପହଞ୍ଚିଥିଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ ।

ଜାଗାଟିରୁ ମାଟି ଖୋଳିବା ପରେ ସେଠାରୁ ଉଦ୍ଧାର ହେଲା ଏକ ଅଜଣା ମୃତଦେହ । ଯାହାପରେ ଆରମ୍ଭ ହୋଇଯାଇଥିଲା ତନାଘନା । ତଥାପି ମୃତକର ପରିଚୟ ସ୍ପଷ୍ଟ ହୋଇ ପାରିନି । ଅନ୍ୟପଟେ ମୃତଦେହଟି ଜଣେ ଯୁବକର ହୋଇଥିବା ସନ୍ଦେହ କରାଯାଉଛି । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ସୀମାନ୍ତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗାଁ ନିକଟରେ । ଗାଁକୁ ଲାଗି ରହିଥିବା ମୁନିଆକଣ ଜଙ୍ଗଲ ଭିତରେ ଠାବ ହୋଇଛି ମୃତଦେହ । ତେବେ ପୋତା ଯାଇଥିବା ସ୍ଥାନ ଠାରୁ କିଛି ଦୂରରେ ଏକ ଗଛରେ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ ।

ଯାହାପରେ ଆଲୋଚନା ଚାଲିଛି କାହାକୁ ହତ୍ୟା କରି ପୋତି ଦିଆଯାଇଛି । ତେବେ ଘଟଣାଟି ଅତ୍ୟନ୍ତ ରହସ୍ୟମୟ ହୋଇ ଉଠିଛି। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଭଞ୍ଜନଗର ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ । ସାଇଣ୍ଟିଫିକ୍ ଟିମ୍ ଏବଂ ଭଞ୍ଜନଗର ଏସଡିପିଓ, ଥାନା ଅଧିକାରୀ ଏବଂ ପୋଲିସ ଟିମ ଘଟଣାର ତନାଘନା କରିଥିଲେ । ଉଦ୍ଧାର ମୃତଦେହକୁ ଭଂଜନଗର ମେଡିକାଲରେ ବ୍ୟବଛେଦ କରାଯାଇଛି । ତେବେ ଖୋଜା ଚାଲିଛି ଏ ମୃତଦେହ କାହାର? କିଏ ସେ ବ୍ୟକ୍ତି ? ତାଙ୍କ ମୃତଦେହ ଏଠାକୁ ଆସିଲା କେମିତି ?

ଲୋକେ ଦେଖିଥିଲେ ଗଛରେ ଝୁଲୁଥିଲା ମୃତଦେହ । ଇଏ ସେହି ବ୍ୟକ୍ତି ନା ଆଉ କେହି ? ଜଙ୍ଗଲ ଭିତରେ କାହିଁକି ମୃତଦେହକୁ ପୋତା ଯାଇଥିଲା? କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି? ଏହା ହତ୍ୟା ନା ସ୍ବାଭାବିକ ମୃତ୍ୟୁ ? ଏତେ ଘଞ୍ଚ ଜଙ୍ଗଲ ଭିତରେ ମୃତକ ଜଣକ କଣ କରୁଥିଲେ ନା ତାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ପୋତି ଦେଇଛି ? ଏହି ଘଟଣାର ପ୍ରକୃତ ସତ୍ୟ କ’ଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେବେ ଘଟଣାଟି ଲୋକ ଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.