
କୋଟପାଡ଼: କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କୋଟପାଡ଼ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ନଅ ଦଫା ସମ୍ବଳିତ ଦାବିପତ୍ର କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ସନ୍ଧ୍ୟା ସମରଥଙ୍କୁ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ରାଜ୍ୟର କାର୍ଯ୍ୟରତ ପେଶାଦାର ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା, ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଏବଂ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସଭାପତି ମନୋଜ ଦାସ ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ସେହିଭଳି ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ସ୍ୱାଇଁ ମଧ୍ୟ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ନିଜର ମତ ରଖିଥିଲେ।
ଏହି ସମାରୋହରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, କୋଟପାଡ଼ ବାର କାଉନସିଲ ଅଧ୍ୟକ୍ଷ ମଣିପ୍ରସାଦ ପଟ୍ଟନାୟକ ଏବଂ ପରିଷଦ ଅଧ୍ୟକ୍ଷ ଏମ୍. ଶଙ୍କର ରାଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଟପାଡ଼ ମହାବିଦ୍ୟାଳୟର ପ୍ରିନ୍ସିପାଲ ଶେଷାନନ୍ଦ ମିଶ୍ର, କୋଟପାଡ଼ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଗଣେଶ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ଏହି ଅବସରରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ଗଣମାଧ୍ୟମ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
କୋଟପାଡ଼ ସାମ୍ବାଦିକ ସଂଘର ସମ୍ପାଦକ ଅଜିତ ପଟ୍ଟନାୟକ, ଉପସଭାପତି ବସନ୍ତ ପେଗଡ଼, କୋଷାଧ୍ୟକ୍ଷ ସୋନାତନ ଦାସ ଏବଂ ଅମିତ ପରିଚ୍ଛା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।