ମାଲିକାନଗିରି : ମୁରୁମ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚକା ତଳେ ଚାପି ହୋଇ ଜଣେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଗୋଲାଗୁଡ଼ା ଗ୍ରାମର ମଙ୍ଗୁଳୁ କସରିଆଙ୍କ ପୁଅ ଶଙ୍କର କସରିୟା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାମଗେଟାରୁ ଗୋଲାଗୁଡ଼ା ଗ୍ରାମ ଆଡକୁ ଏକ ମୁରୁମ ବୋଝେଇ ଟ୍ରାକ୍ଟର ନେଇ ଶଙ୍କର ଯାଉଥିବା ସମୟରେ କୌଣସି କାରଣରୁ ଗାଡ଼ିର ଭାରସାମ୍ୟ ହରାଇଥିଲା । ଯାହାଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିବା ସହ ଶଙ୍କର ଏହା ତଳେ ଚାପି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପଡ଼ିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜେସିବି ସହାୟତାରେ ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ଉଠାଇବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି। ଏନେଇ ପଡ଼ିଆ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
