୭୫ ବର୍ଷରେ ନେତା ଅବସର ନେବା ଉଚିତ: ଭାଗବତ

youtube

ନାଗପୁର: ନେତାମାନେ ୭୫ ବର୍ଷରେ ଅବସର ଗ୍ରହଣ କରି ଯୁବପିଢିଙ୍କୁ ନେତୃତ୍ବ ଭାର ଛାଡିବା ଉଚିତ୍ ବୋଲି ପୁଣି ଥରେ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ। ନାଗପୁରରେ ଆରଏସ୍‌ଏସ୍‌ର ଦିବଂଗତ ବରିଷ୍ଠ କାର୍ଯ୍ୟକର୍ତ୍ତା ମୋ‌ରୋପନ୍ଥ ପିଙ୍ଗଲେଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଭାଗବତ ଏପରି କହିଛନ୍ତି। ପୂର୍ବରୁ ବି ଭାଗବତ ଅନୁରୂପ କଥା ଦୋହରାଇ ଆସୁଥିଲେ।

ଭାଗବତ କହିଥିଲେ ଯେ ‘ତୁମକୁ ଯେତେବେଳେ ୭୫ବର୍ଷ ହେବ  ତୁମେ ସେତେବେଳେ କାମ କରିବା ବନ୍ଦ କରିଦେବା ଉଚିତ୍ ଓ ଅନ୍ୟକୁ ରାସ୍ତା ଛାଡିବା ଦରକାର।’ ଭାଗବତ ମୋରୋପନ୍ଥଙ୍କ ଉକ୍ତିକୁ ମନେ ପକାଇ ଏପରି କହିଥିଲେ। କାରଣ ମୋରୋପନ୍ଥ ଏକଦା କହିଥିଲେ ‘୭୫ବର୍ଷ ହେବା ପରେ ଯଦି ତୁମକୁ ସାଲ୍ ଦେଇ କେହି ସମ୍ବର୍ଦ୍ଧିତ କରନ୍ତି ସେତେବେଳେ ତୁମେ ଜାଣିବା ଦରକାର ଯେ ତୁମେ ବୁଢା ହୋଇଗଲଣି। ତୁମେ କାମ ବନ୍ଦ କରି ଅନ୍ୟମାନଙ୍କୁ ରାସ୍ତା ଛାଡିଦେବା ଦରକାର।’

ଭାଗବତଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ରାଜନେତାମାନେ ଉତ୍ସାହିତ ହୋଇ ଉଠିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ସେପ୍ଟେମ୍ବରରେ ୭୫ବର୍ଷରେ ପଦାପର୍ଣ କରିବେ। ଭାଗବତ ମଧ୍ୟ ଆଗାମୀ ସେପ୍ଟେମ୍ବରରେ ୭୫ବର୍ଷରେ ପଦାର୍ପଣ କରିବେ। ତେଣୁ ମୋଦୀ ଓ ଭାଗବତଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ କି ନାହିଁ ତା’ ଉପରେ ବିରୋଧୀ ରାଜନେତାମାନେ ପ୍ରଶ୍ନ ଉଠାଇଛନ୍ତି।

ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଜୋଷୀ ଓ ଯଶୱନ୍ତ ସିଂହଙ୍କ ଭଳି ନେତାଙ୍କୁ ରାଜନୀତିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଦେଖାଯାଉ ଏହି ନିୟମ ସେ (ମୋଦୀ) ନିଜ ପାଇଁ ଲାଗୁ କରୁଛନ୍ତି କି ନାହିଁ। ସେହିପରି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି ଯେ ନିୟମକୁ ନିଜେ ପାଳନ  ନ କରି ଅନ୍ୟକୁ ଉପଦେଶ ଦେବା ବିପଜ୍ଜନକ।

ଚଳିତବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ନାଗପୁରର ଆରଏସଏସ୍ ମୁଖ୍ୟାଳୟକୁ ପରିଦର୍ଶନରେ ଯାଇଥିବାବେଳେ ସଞ୍ଜୟ ରାଉତ କହିଥିଲେ ଯେ ମୋଦୀ ତାଙ୍କ ଅବସର ବାବଦରେ ଆଲୋଚନା କରିବାକୁ ଆସିଛନ୍ତି। ବିଜେପି ସେତେବେଳେ ସଞ୍ଜୟଙ୍କ ଦାବିକୁ ଖଣ୍ଡନ କରିଥିଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ବିଜେପି ଦଳୀୟ ସମ୍ବିଧାନରେ ଅବସର ଗ୍ରହଣର ସମୟ ସୀମା ନାହିଁ। ମୋଦୀ ୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ।

Leave A Reply

Your email address will not be published.