ହାଇଦରାବାଦ : ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଗ୍ରହ ଉତକ୍ଷେପଣ ହୋଇଛି। ହାଇଦରାବାଦ କମ୍ପାନୀ ‘ଟେକମିଟୁସ୍ପେସ’ ଦ୍ବାରା ନିର୍ମିତ ଏହି ଉପଗ୍ରହକୁ ସ୍ପେସଏକ୍ସର ଟ୍ରନ୍ସପୋର୍ଟର-୧୮ ଅଭିଯାନରେ ଗୁରୁବାର ରାତି ୧୧ଟା୪୮ରେ ମହାକାଶକୁ ପଠାଯାଇଛି। ଏହି ଉପଗ୍ରହର ନାମ ଏମଓଆଇ-୧ଏ ରଖାଯାଇଛି। ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଛି। ଏହା କେବଳ ଫଟୋ ଉଠାଇ ପୃଥିବୀକୁ ପଠାଇବ ନାହିଁ, ବରଂ ମହାକାଶରେ ଫଟୋ ଗୁଡିକର ବିଶ୍ଳେଷଣ ମଧ୍ୟ କରିବ। ଏହା ଦ୍ୱାରା ସୀମାର ପର୍ଯ୍ୟବେକ୍ଷଣ ଓ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ମିଳିପାରିବ। ଫଟୋ ଓ ଡାଟାକୁ ପୃଥିବୀକୁ ପଠାଇବାରେ ଲାଗୁଥିବା ସମୟ ଓ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହା ଭାରତର ପ୍ରଥମ ଅର୍ବିଟାଲ କମ୍ପ୍ୟୁଟିଂ ଉପଗ୍ରହ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଆମେରିକା, ୟୁରୋପୀୟ ସଂଘ ଓ ଚୀନ ଏଭଳି ଉପଗ୍ରହ ଉତକ୍ଷେପଣ କରିଥିଲେ। ଏମଓଆଇ-୧ଏର ଓଜନ ୧୩ କେଜି। ଏଆଇ ମଡେଲ ଚଲାଇବା ପାଇଁ ଏଥିରେ ଏନଭିଡିଆ ଏନଓରିନ ଏନଏକ୍ସ ଚିପ୍ ଲାଗିଛି।
