
ବାଲେଶ୍ଵର : ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା । ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସେ ଦାୟୀ କରିଛନ୍ତି । କିଛି ଦିନ ତଳେ ସମସ୍ୟା ନେଇ ଛାତ୍ରୀ ଜଣଙ୍କ ବାଲେଶ୍ବର ସାଂସଦଙ୍କ ପାଖକୁ ଯାଇଥିଲେ । ଏହା ପରେ ଘଟଣା ସଂପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିଥିଲେ ପ୍ରତାପ ଷଡ଼ଙ୍ଗୀ । ଘଟଣା ସଂପର୍କରେ ଇଣ୍ଟରନାଲ କମିଟିରେ କେବଳ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଗୁଣଗାନ କରାଯାଇଥିବା କହିଛନ୍ତି ପ୍ରତାପ ।
ଅନ୍ୟପଟେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ । ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଛି । ନିର୍ଯାତନା ଅଭିଯୋଗରେ ନ୍ୟାୟ ନମିଳିବାରୁ ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଏମସ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ୮ ଜଣିଆ ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି । ଆବଶ୍ୟକ ହେଲେ ତାଙ୍କୁ ଏୟାରଲିଫ୍ଟ କରାଯିବ ।