
କଟକ : କଟକର ଭିନ୍ନ ଭିନ୍ନ ଜାଗାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପହଞ୍ଚି ବିଶ୍ଵବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ପରେ ପରେ ରେଭେନ୍ସା ବାଳିକା ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟରେ ଛାତ୍ରୀ ମାନେ ରାଷ୍ଟ୍ରପତି ଙ୍କୁ ପାଖରେ ପାଇ ବେଶ ଖୁସି ହୋଇଥିବା ଜଣାଇଥିଲେ ।
ଜୀବନରେ କେବଳ ଆର୍ଥିକ ଉନ୍ନତି ସଫଳତାର ମାପକାଠି ନୁହେଁ, ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କର, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଏହି ବାର୍ତ୍ତା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାଠ କେବଳ ଜୀବନ ବିତାଇବାର ମାଧ୍ୟମ ନୁହେଁ, ମଣିଷଟିଏ ହୋଇ ଜୀବନ ଡଙ୍ଗାକୁ ଆଗକୁ ବଢ଼ାଇବାକୁ ହେବ ଏବଂ ସତ୍ୟ ପ୍ରତି ନିଷ୍ଠା ରଖିବାକୁ ହେବ ବୋଲି ରେଭେନ୍ସାଭିଆନମାନଙ୍କ ଉଦ୍ୟେଶ୍ୟରେ ଆଜି କହିଛନ୍ତି ରାଷ୍ଟ୍ରପତି । ପ୍ରଥମ ଥର ଲାଗି ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ହେଉଛି ପ୍ରଥମ ଘଟଣା । ତେଣୁ ଆଜି ରେଭେନ୍ସା ପରିସରରେ ଦେଖିବାକୁ ମିଳିଥିଲା ବେଶ୍ ଉତ୍ସାହ।
ଆଜି ଆପଣମାନଙ୍କ ଗହଣକୁ ଆସି ମୁଁ ବହୁତ୍ ଖୁସି। ମୋ ଝିଅ ଏଠି ଦୁଇବର୍ଷ ପାଠ ପଢିଚି। ଅନେକ ଥର ହଷ୍ଟେଲ ଭିତରକୁ ଯିବା ଆସିବା କରିଛି । ରେଭେନ୍ସା ଇଟା ପଥରରେ ଗଢା କେବଳ ଏକ ନିର୍ମାଣ ନୁହେଁ, ଏହା ଆମବିକାଶ,ଉତଥାନପତନର ମୁକ ସାକ୍ଷୀ । ରେଭେନ୍ସା ଆଜି ଶାଳଗ୍ରାମ ପାଲଟି ଯାଇଛି । ରେଭେନ୍ସା ହେଉଛି ଭାରତ ଏବଂ ଓଡିଶା ଇତିହାସର ସକ୍ରିୟ ଅଂଶୀଦାର, ତେଣୁ ଏହାର ଗାରିମା ବଜାୟ ରଖିବାରେ ପ୍ରତେକ ରେଭେନ୍ସାଭିଆନ ଚେଷ୍ଟିତ ହେବା ଆବଶ୍ୟକ ବୋଲି ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁଭ୍ରାଂଶୁ ଶୁକ୍ଳାଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ଶୁଭ୍ରାଂଶୁ ଆମ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଆଗକୁ ଏହି ରେଭେନସାର ଛାତ୍ର ଛାତ୍ରୀ ସେହିଭଳି କିଛି ଗୌରବ ଆମ ପାଇଁ ଆଣି ପାରିବେ ବୋଲି ମୁଁ ଆଶା ରଖୁଛି । ତେବେ ଉତୀନ୍ନ ଛାତ୍ରଛାତ୍ରୀମାନେ ଚାକିରୀ ଖୋଜିବା ଅପେକ୍ଷା ଚାକିରୀ ପ୍ରଦାନକାରୀ ହୋଇପାରିଲେ ବିକଶିତ ଭାରତ ଗଠନର ସ୍ବପ୍ନ ସାକାର ହୋଇ ପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି।
ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିକି, ରେଭେନ୍ସା ହେଊଛି ଜାତୀୟ ମୁକ୍ତି ଆନ୍ଦୋଳନର ଏନ୍ତୁଡ଼ିଶାଳ ଏବଂ ଭାଷା ଆନ୍ଦୋଳନର ପ୍ରୟୋଗଶାଳା ଥିଲା ରେଭେନ୍ସା । କିନ୍ତୁ ବର୍ତ୍ତମାନର ବିଶ୍ୱ ହେଉଛି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ବିଶ୍ୱ । ତେଣୁ ରେଭେନ୍ସା A I ଟେକନୋଲୋଜିର ପ୍ରୟୋଗଶାଳା ହେଉ ବୋଲି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସମାବର୍ତ୍ତନ ଉତ୍ସବରେ କୁଳପତି ତଥା ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସମାବର୍ତ୍ତନ ଉତ୍ସବରେ ମୋଟ ୩୨୯ ଜଣ ପ୍ରତିଭାଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଇଛି । ତା ସହିତ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ, ମହାକାଶ ଗବେଷକ ଡଃ ଅଜିତ କୁମାର ମହାନ୍ତି, ସାଂସଦ ଡଃ ଭର୍ତ୍ତୃହରି ମହତାବ, ପଦ୍ମଶ୍ରୀ ସାବରମତି ଏବଂ ଦୃଷ୍ଟିହୀନ ସାମାଜିକ କର୍ମୀ ଡଃ ବିଜୟ କୁମାର ରଥ ।