ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ

youtube

ସମ୍ବଲପୁର: ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ । ହୀରାକୁଦ ନଦୀବନ୍ଧ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ନେଇ ଗତ ମେ’ ୧୬ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଜଳସମ୍ପଦ ବିଭାଗକୁ ଏନଓସି ପାଇଁ ଆବେଦନ କରିଥିଲା । ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମତାମତ ଦେବାକୁ ବିଭାଗୀୟ ଚିଠି ହୋଇଛି । ଯାହାକି ଖୁବଶୀଘ୍ର କାମ ହେବାକୁ ଯାଉଥିବା ସୂଚନା ରହିଛି ।

ତେବେ ହୀରାକୁଦରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖେଳ, ଆମୋଦ ପ୍ରମୋଦ ଓ ଚିତ୍ତବିନୋଦନ ଆଦି ଦେଖିବାକୁ ମିଳିବ । ଯେମିତିକି, ଜଳଭଣ୍ଡାରରେ ହେବ କ୍ରୁଜ୍‌ ଟର୍ମିନାଲ । ଗୋଆ ଓ ଭେନିସ୍‌ ସହର ଭଳି ବୋଟ୍‌ ହାଉସ୍‌ ଉପଭୋଗ କରିବେ ପର୍ଯ୍ୟଟକ । ଗୋଆ, ଦୁବାଇ ଭଳି ସ୍କୁବା ଡାଇଭିଂ କରିବେ ପର୍ଯ୍ୟଟକ । ୱାଟର ସ୍ପୋର୍ଟସ୍‌ ପାଇଁ ନିର୍ମାଣ କରାଯିବ ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍‌ ।

ଚାନ୍ଦଲିଡୁଙ୍ଗୁରୀରେ ହେବ କ୍ୟାମ୍ପେନିଂ କଟେଜ୍‌ । ଅଶୋକ ନିବାସ ନିକଟରେ ମିଳିବ କେରଳ ଶୈଳୀର କାରାଭାନ ପାର୍କ । ସନ୍ଧ୍ୟାରେ ଝଟକିବ ୱାଟର ଲେଜର ମ୍ୟୁଜିକ୍‌ ସୋ ।

ହୀରାକୁଦ କାହାଣୀକୁ ନେଇ ତିଆରି ହେବ ମ୍ୟୁଜିୟମ । ହୀରାକୁଦ ନଦୀବନ୍ଧ ତିଆରି କାହାଣୀକୁ ନେଇ ଲେଜର୍‌ ସୋ ହେବ । ଯାହାକି ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକ ହୀରାକୁଦ ଉପରେ ଅଧିକ ଜାଣିପାରିବେ । ସେହିଭଳି ହୀରାକୁଦରେ ବୀର ସୁରେନ୍ଦ୍ର ସାଏଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି । ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଶୈଳୀରେ ଏହା ନିର୍ମାଣ ହେବ ।

ଝାରସୁଗୁଡ଼ା ଅଞ୍ଚଳରେ ମଧ୍ୟ ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍‌, ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ ଆରମ୍ଭ କରିଛି ଏଭଳି ପ୍ରସ୍ତୁତି । ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେନିଂ ସାଇଟ୍‌ ସାଙ୍ଗକୁ ଲାଇଟ୍‌ ଓ ସାଉଣ୍ଡ ସୋ । ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ ରହିବ ଜାପାନିଜ୍‌ ପଥର ପାଚେରୀ । ପର୍ଯ୍ୟଟକଙ୍କ ପାଇଁ ହେବ ବିଶାଳ ସ୍ଥାୟୀ ପାର୍କିଂ ।

ହୀରାକୁଦରେ ମିଳିବ ହିମାଚଳର ନଦୀ ଗୁଡିକରେ ହେଉଥିବା ଦୁଃସାହାସିକ ଜଳକ୍ରୀଡ଼ାର ଅନୁଭୂତି । ମନାଲି ପାହାଡ଼ ଭଳି ହୀରାକୁଦର ଜଳରାଶିରେ ପାରାଗ୍ଲାଇଡିଂ ଓ ପାରାସେଲିଂର ବି ମଜାନେବେ । ଓ୍ବାଟର ରାଫଟିଂ, ଜେଟସ୍କି, ବମ୍ପର ରାଇଡ୍‌, ବାନାରା ରାଇଡ୍‌, ବେଲୁନ୍‌ ରାଇଡ୍‌ ଭଳି କୌତୁହଳପୂର୍ଣ୍ଣ ଜଳକ୍ରୀଡ଼ା ଉପଲବ୍ଧ ହେବ । ଏଥିପାଇଁ ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍‌ ତିଆରି କରାଯିବ । ଏହାସହ ବଡ଼ ହୋଟେଲ୍‌, ପାର୍କିଂ, ମଲ୍‌, ଡ୍ୟାମ୍‌ ସଂଗ୍ରହାଳୟ, ଆକର୍ଷଣୀୟ ଚଲାପଥ ବି ତିଆରି ହେବ ।

Leave A Reply

Your email address will not be published.