
ଆଜି ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାଓଁରୁ ତୀର୍ଥଯାତ୍ରୀଙ୍କ ଆଗମନକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଜମ୍ମୁ ଏବଂ କାଶ୍ମୀରରେ ପାଗ ବହୁତ ଖରାପ ରହିଛି ଏବଂ ଗତକାଲିଠାରୁ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ନାଳଗୁଡିକ ଉଛୁଳି ପଡିଛି । ଅନେକ ଜିଲାରେ ଅଣ୍ଡରପାସ୍ ବର୍ଷା ପାଣିରେ ପୂର୍ଣ୍ଣ ହୋଇଛି । ପାହାଡ ଫାଟିବା ଏବଂ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଭାରତୀୟ ପାଣିପାଗ ବିଭାଗର ଆଗାମୀ ୫ଦିନ ଅର୍ଥାତ୍ ୨୧ ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ୁଆକଳନ କରାଯାଇଛି ।
ପହଲଗାଓଁ ମାର୍ଗ ଅନନ୍ତନାଗ ଜିଲାରୁ ଆରମ୍ଭ ହୁଏ ଏବଂ ଏହି ମାର୍ଗ ଦେଇ ତୀର୍ଥଯାତ୍ରୀମାନେ ବାବା ଅମରନାଥଙ୍କ ଗୁମ୍ଫାରେ ପହଞ୍ଚିବା ପାଇଁ ୩୬ରୁ ୪୮କିଲୋମିଟର ଦୂରତା ଅତିକ୍ରମ କରିଥାନ୍ତି । ଏହି ରାସ୍ତାରେ ଖାଲଖମା କମ ଥିବାରୁ ବୟସ୍କ ୍ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ହୋଇଥାଏ । ଅନ୍ୟପକ୍ଷରେ ବାଲଥାଲ ମାର୍ଗ ଗାନ୍ଦେରବଲ ଜିଲାରୁ ଆରମ୍ଭ ହୁଏ । ଏହି ମାର୍ଗ ଦେଇ ବାବା ଅମରନାଥଙ୍କ ଗୁମ୍ଫାରେ ପହଞ୍ଚିବା ପାଇଁ ୧୬ କିଲୋମିଟର ଅତିକ୍ରମ ପଡିବାକୁ ପଡେ । ଏହି ମାର୍ଗରେ ଅଧିକ ଖାଲଖମା ରହିଛି । ଏହି ମାର୍ଗରେ ସୁରକ୍ଷା ପାଇଁ ସେନା କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀ, ସିଆରପିଏଫ୍ ଏବଂ ପୁଲିସ ନିୟୋଜିତ ରହିଛନ୍ତି ।