ବାଲେଶ୍ୱର ଛାତ୍ରୀ ମୃତ୍ୟୁ ପରେ ସମ୍ବଲପୁରରେ କାର୍ଯ୍ୟାନୁଷ୍ଠାନ: ପ୍ରଫେସର ଗିରଫ, ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ସମ୍ବଲପୁର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମାହୁତି ଓ ପରବର୍ତ୍ତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ, ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର। ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା (୩୨)ଙ୍କୁ ମହିଳା ପୋଲିସ ଗିରଫ କରିଛି।
ପୀଡିତା ଛାତ୍ରୀ ଜଣକ ପ୍ରାୟ ଚାରି ମାସ ପୂର୍ବରୁ ମହିଳା ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଫେସର ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିବାହରୁ ଓହରି ଯାଇଥିଲେ। ଦୁଃଖର ବିଷୟ, ସେତେବେଳେ ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
ତେବେ, ଗତ ୧୨ ତାରିଖରେ ଏଫଏମ୍ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ସରକାର ଓ ପ୍ରଶାସନକୁ ଚେତାଇ ଦେଇଛି। ଏହି ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି ଏବଂ ଏହାରି ଫଳ ସ୍ୱରୂପ ସମ୍ବଲପୁରରେ ପଡି ରହିଥିବା ପୁରୁଣା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗୁରୁବାର ଦିନ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଦହିତା ଗାଁର ଦୁତିଆ ସୁନାଙ୍କ ପୁଅ, ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ମହିଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଘଟଣା ପରେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷା ମନ୍ଦିରରେ ଗୁରୁ-ଶିଷ୍ୟ ପରମ୍ପରା କଳୁଷିତ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ପାଇଛି। ଲୋକଲଜ୍ଜା ଓ ଭୟରେ ଅନେକ ଛାତ୍ରୀ ନିଜ ଉପରେ ହେଉଥିବା ଅତ୍ୟାଚାର ସହି ଚୁପ୍ ରହିଯାଉଛନ୍ତି, ଯାହାଫଳରେ ଅନେକ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ଏହିଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଏବଂ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।